ଭାଜପା ବିଧାୟକଙ୍କ ଦାଦାଗିରି: ଏସ୍‌ଡିଏମ୍‌ଙ୍କୁ ଧମକ ଦେଉଥିବା ଭିଡ଼ିଓ ଭାଇରାଲ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ବିଧାୟକ ଏସ୍‌ଡିଏମ୍‌ଙ୍କ ଆଗରେ ଦାଦାଗିରି ଦେଖାଇଛନ୍ତି। ସେ ଏସ୍‌ଡିଏମ୍‌ଙ୍କୁ ଧମକଚମକ ଦେଇଥିବାବେଳେ ତାଙ୍କ ସମର୍ଥକ ଏସ୍‌ଡିଏମ୍‌ ମୁର୍ଦ୍ଦାବାଦ୍‌ ସ୍ଲୋଗାନ୍‌ ଦେଇଥିଲେ। ସ୍ଥାନୀୟ ଏସ୍‌ଡିଏମ୍‌ ଏଲ୍‌. ମିଣାଙ୍କ ପାଖକୁ ବିଦ୍ୟୁତ୍‌ ସମସ୍ୟା ନେଇ ଭାଜପା ବିଧାୟକ ମହେଶ ରାୟ ଆସିଥିଲେ। ସେ ବିଦ୍ୟୁତ୍‌ ସମସ୍ୟା ସମ୍ପର୍କିତ ଦାବି ପତ୍ର ନେବାକୁ ଏସ୍‌ଡିଏମ୍‌ଙ୍କୁ ବାହାରକୁ ଡାକିଥିଲେ। ତେବେ ମିଣା ତାଙ୍କୁ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ଡକାଇଥିଲେ। ଏନେଇ ମହେଶ ଉତ୍‌କ୍ଷୀପ୍ତ ହୋଇ କିଭଳି ଜଣେ ବିଧାୟକଙ୍କ ସହିତ କଥାବାର୍ତ୍ତା ହେବାକୁ ହୁଏ ତାହା ଏସ୍‌ଡିଏମ୍‌ ଜାଣି ନ ଥିବା କହି ଧମକାଇଥିଲେ। ତୁମେ ନୂଆ ଆସିଛି ତେଣୁ ଏହା ଜାଣିନାହଁ ବୋଲି ମହେଶ ଏସ୍‌ଡିଏମ୍‌ଙ୍କ କହିଥିଲେ। ଏହି ସମସ୍ତ ଘଟଣାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଜୋର୍‌ ସୋର୍‌ ଚର୍ଚ୍ଚା ଆରମ୍ଭ ହୋଇଛି।