Formula One F1 - Brazilian Grand Prix - Autodromo Jose Carlos Pace, Interlagos, Sao Paulo, Brazil - November 17, 2019 Race winner Red Bull's Max Verstappen celebrates on the podium with the trophy REUTERS/Amanda Perobelli
ସାଓ ପାଉଲୋ, ୧୯।୧୧ (ଏଏଫ୍ପି)- ରେଡ୍ ବୁଲ୍ସ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ ଏଠାରେ ଅନୁଷ୍ଠିତ ବ୍ରାଜିଲିଆନ୍ ଗ୍ରାଁ ପ୍ରି ଫର୍ମୁଲା ଓ୍ବାନ୍ ରେସ୍ରେ ଚାମ୍ପିୟନ ହୋଇଛନ୍ତି। ଭର୍ଷ୍ଟାପେନଙ୍କ କ୍ୟାରିୟରରେ ଏହା ମୋଟ୍ ୮ମ ଫର୍ମୁଲା ଓ୍ବାନ୍ ଟାଇଟଲ୍ ବିଜୟ ଥିଲା। ଏହି ରେସ୍ରେ ଫେରାରୀର ଉଭୟ ଡ୍ରାଇଭର ସେବାଷ୍ଟିଆନ ଭେଟେଲ ଓ ଚାର୍ଲସ ଲେକ୍ଲିୟରଙ୍କ ମଧ୍ୟରେ ଦୁର୍ଘଟଣା ଘଟିବା ସବୁଠାରୁ ଚର୍ଚ୍ଚାର ବିଷୟ ରହିଥିଲା। ଏହାପରେ ଉଭୟ ଭେଟେଲ ଓ ଚାର୍ଲସ ରେସ୍ରୁ ରିଟାୟାର୍ଡ ନେଇଯାଇଥିଲେ। ଛ’ଥରର ବିଶ୍ୱ ଚାମ୍ପିୟନ ଲୁଇସ୍ ହାମିଲଟନ୍ଙ୍କ ପାଇଁ ମଧ୍ୟ ଏହି ରେସ୍ ନୈରାଶ୍ୟଜନକ ରହିଥିଲା। ସେ ରେସ୍ର ୭ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।
କିଲୋମିଟର ବିଶିଷ୍ଟ ଏହି ରେସ୍କୁ ୨୨ ବର୍ଷୀୟ ଡଚ୍ ଡ୍ରାଇଭର ଭର୍ଷ୍ଟାପେନ ୧ ଘଣ୍ଟା ୩୩ ମିନିଟ୍ ୧୪.୬୭୮ ସେକେଣ୍ଡରେ ଫିନିଶ୍ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ପ୍ରତି ଲ୍ୟାପ୍ର ଲେନ୍ଥ୍ ୪.୩୦୯ କି.ମି. ହୋଇଥିବାବେଳେ ରେସ୍ ମୋଟ୍ ୭୧ ଲ୍ୟାପ୍ବିଶିଷ୍ଟ ରହିଥିଲା। ସିଜନରେ ଭର୍ଷ୍ଟାପେନଙ୍କ ଏହା ୩ୟ ଟାଇଟଲ୍ ଥିଲା। ପୂର୍ବରୁ ସେ ଅଷ୍ଟ୍ରିଆ ଓ ଜର୍ମାନୀ ଗ୍ରଁା ପ୍ରି ଟାଇଟଲ୍ ହାସଲ କରିସାରିଛନ୍ତି। ଅନ୍ତିମ ପର୍ଯ୍ୟାୟରେ ଫେରାରୀ ଡ୍ରାଇଭରଙ୍କ ମଧ୍ୟରେ ଦୁର୍ଘଟଣାର ଫାଇଦା ଭର୍ଷ୍ଟାପେନଙ୍କୁ ମିଳିଥିଲା। ଟୋରୋ ରୋସୋ-ହୋଣ୍ଡା ଡ୍ରାଇଭର ପିଏରେ ଗାସ୍ଲୀ ଭର୍ଷ୍ଟାପେନଙ୍କଠାରୁ +୬.୦୭୭ ସେକେଣ୍ଡ ଅଧିକ ସମୟ ନେଇ ୨ୟ ସ୍ଥାନରେ ରହିଥିଲେ। ମର୍ସିଡିଜ୍ର ହାମିଲଟନ ୩ୟ ସ୍ଥାନରେ ରହିଥିଲେ ମଧ୍ୟ ରେଡ୍ ବୁଲ୍ସ ତଥା ଥାଇଲାଣ୍ଡ ଡ୍ରାଇଭର ଆଲେକ୍ସଜାଣ୍ଡର ଆଲ୍ବନଙ୍କ ସହ ଦୁର୍ଘଟଣା ଯୋଗୁ ରେସ୍ ପରେ ତାଙ୍କୁ ୫ ସେକେଣ୍ଡ ପେନାଲ୍ଟିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଫଳରେ ହାମିଲଟନ ୭ମ ସ୍ଥାନକୁ ଖସିଯାଇଥିଲେ। ଏହାର ଫାଇଦା ମ୍ୟାକ୍ଲରେନ-ରେନଲ୍ଟ ଡ୍ରାଇଭର କାର୍ଲୋସ ସାଇଞ୍ଜଙ୍କୁ ମିଳିଥିଲା ଏବଂ ସେ ୩ୟ ସ୍ଥାନକୁ ଉଠିଥିଲେ। ଫର୍ମୁଲା ଓ୍ବାନ୍ରେ କାର୍ଲୋସଙ୍କ ଏହା ପ୍ରଥମ ପୋଡିୟମ ଫିନିଶ୍ ରହିଥିଲା।