ବ୍ୟାଙ୍କ ମିଶ୍ରଣକୁ ବିରୋଧ;୨୬ରୁ ଦୁଇଦିନିଆ ବ୍ୟାଙ୍କ ୟୁନିୟନ ଧର୍ମଘଟ

ନୂଆଦିଲ୍ଲୀ,୧୩-୯: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଧିକାରୀଙ୍କ ୟୁନିୟନ ପକ୍ଷରୁ ଚଳିତ ମାସ ୨୬ରୁ ଦୁଇଦିିନିଆ ବ୍ୟାଙ୍କ ଧର୍ମଘଟ ଆହ୍ବାନ ଦିଆଯାଇଛି। ସରକାର ୧୦ ବ୍ୟାଙ୍କକୁ ମିଶାଇ ୪ ବୃହତ ବ୍ୟାଙ୍କ ଗଠନ କରିବାକୁ ନିକଟରେ ଘୋଷଣା କରିଥିଲେ। ଇଣ୍ଡିଆନ ବ୍ୟାଙ୍କ୍‌ସ ଆସୋସିଏଶନ(ଆଇବିଏ) ପକ୍ଷରୁ ସରକାରଙ୍କ ନିକଟକୁ ପଠାଯାଇଥିବା ନୋଟିସରେ ପ୍ରସ୍ତାବିତ ଧର୍ମଘଟ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସରକାର ବ୍ୟାଙ୍କ ମିଶ୍ରଣରୁ ନ ଓହରିଲେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟରେ ସାମିଲ ହେବେ ବୋଲି ଚେତାବନୀ ଦିଆଯାଇଛି। ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନ୍‌ଫେଡେରେଶନ(ଏଆଇବିଓସି), ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏଶନ(ଏଆଇବିଓଏ), ଇଣ୍ଡିଆନ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ କଂଗ୍ରେସ(ଆଇଏନ୍‌ବିଓସି) ଓ ନ୍ୟାଶନାଲ ଅର୍ଗାନାଇଜେଶନ ଅଫ୍‌ ବ୍ୟାଙ୍କ ଅଫିସର୍ସ(ଏନ୍‌ଓବିଓ) ପକ୍ଷରୁ ଯୁଗ୍ମ ଭାବେ ଏହି ନୋଟିସ ଦିଆଯାଇଛି। ଉକ୍ତ ଦାବି ସହ ସେମାନେ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ଭାବେ ଘୋଷଣା କରିବା,ନଗଦ ନେଣଦେଣର ଘଣ୍ଟା ଏବଂ ବିନିୟମିତ କାର୍ଯ୍ୟ ଘଣ୍ଟାକୁ କମାଇବା ଲାଗି ମଧ୍ୟ ଦାବି କରାଯାଇଛି। ଏଆଇବିଓସି(ଚଣ୍ଡିଗଡ) ସାଧାରଣ ସମ୍ପାଦକ ଦୀପକ କୁମାର ଶର୍ମା କହିଛନ୍ତି ଯେ, ୨୫ ତାରିଖ ମଧ୍ୟରାତ୍ରରୁ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ। ସୂଚନାଥାଉ କି, ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି କର୍ମଚାରୀମାନେ ଗତ ମାସ ୩୧ରେ ହାତରେ କଳାପଟି ବାନ୍ଧି କାମ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୟୁନିୟନ ଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ, ସରକାର ଭୁଲ୍‌ ସମୟରେ ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତି ନେଇଛନ୍ତି। ଏହାର ସମୀକ୍ଷା ହେବା ଆବଶ୍ୟକ।