Categories: ଅନୁଗୋଳ

ବ୍ୟବଚ୍ଛେଦ ଗୃହରେ ପଶିଲା ଡେଲି ମାର୍କେଟ ପାଣି

ଅନୁଗୋଳ ଅଫିସ, ୨୨।୬ – ଗୁରୁବାର ରାତିରେ ବର୍ଷା ଯୋଗୁ ଅନୁଗୋଳ ଡେଲିମାର୍କେଟ ପରିସରରେ ପାଣି ଜମି ରହିଥିଲା। ଶୁକ୍ରବାର ଏହାକୁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟକୁ ଛଡ଼ାଯିବାରୁ ନୂତନ ଶବ ବ୍ୟବଚ୍ଛେଦ ଗୃହରେ ପାଣି ପଶି ଯାଇଥିଲା। ଏ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ସେ ଘଟଣାସ୍ଥଳକୁ ଉପଜିଲାପାଳ ବାସୁଦେବ ଶତପଥୀଙ୍କୁ ତଦାରଖ ପାଇଁ ପଠାଇଥିଲେ। ଉପଜିଲାପାଳ ପୌରପାଳିକା ଏମ୍‌ଇ ଓ ଆରଆଣ୍ଡବିର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଧରି ଘଟଣାସ୍ଥଳକୁ ଯିବା ପରେ ପୌରପାଳିକା ଏମ୍‌ଇଙ୍କ ନିର୍ଦ୍ଦେଶରେ ପାଣି ଡାକ୍ତରଖାନା ପରିସରକୁ ଛଡ଼ାଯାଇଥିବା ଜାଣି ଅସନ୍ତୋଷ ପ୍ରକାଶ କରିଥିଲେ। ଏମ୍‌ଇଙ୍କ ଉପରେ ଉପଜିଲାପାଳ ବିରକ୍ତି ହେବା ସହ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆର ଆଣ୍ଡ ବି ପକ୍ଷରୁ ମେଡିକାଲ ପରିସରରେ କାର୍ଯ୍ୟ ଚାଲୁଥିବାରୁ ଏକ ଅସ୍ଥାୟୀ ଡ୍ରେନ କରାଯାଇ ମାଛ ମାର୍କେଟକୁ ଡେଲି ମାର୍କେଟ ପାଣି ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏ ନେଇ ୮୦ ଲକ୍ଷ ଟଙ୍କାର ଟେଣ୍ଡର ମଧ୍ୟ କରାଯିବ ବୋଲି ପୌରପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାପରେ ଡେଲି ମାର୍କେଟ ପରିଦର୍ଶନରେ ଉପଜିଲାପାଳ ଯାଇଥିଲେ। ସେଠାରେ ମଧ୍ୟ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବାବେଳେ ବ୍ୟବସାୟୀଙ୍କ ପାଇଁ ହୋଇଥିବା ଗୃହଗୁଡ଼ିକ ବେହାଲ ହୋଇପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଏହାର ମରାମତି କରିବା ସହ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ଉପଜିଲାପାଳ ଶତପଥୀ ପୌରପାଳିକା ଏମ୍‌ଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଅସ୍ଥାୟୀ ଡ୍ରେନ୍‌ରେ ମେଡିକାଲ ଦେଇ ଡେଲି ମାର୍କେଟ ପାଣି ମାଛ ମାର୍କେଟକୁ ଯିବାର ବ୍ୟବସ୍ଥା ହୋଇଥିବାବେଳେ ପରେ ଅଣ୍ଡରଗ୍ରାଉଣ୍ଡ ଡ୍ରେନ କରାଯିବାର ବ୍ୟବସ୍ଥା ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।