Antigua India West Indies Cricket
ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୩।୮- ସ୍ଥାନୀୟ ଭିଭିଆନ ରିଚାଡର୍ସ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ଅଜିଙ୍କ୍ୟ ରାହାନେଙ୍କ ଅର୍ଦ୍ଧଶତକ ସହାୟତାରେ ସଂଘର୍ଷ ଜାରି ରଖିଛି। ଖବର ମିଳିବା ବେଳକୁ ଭାରତ ୪ ଉଇକେଟ ହରାଇ ୧୩୪ ରନ ସଂଗ୍ରହ କରିଛି। ଅଜିଙ୍କ୍ୟ ରାହାନେ ୫୦ ଓ ହନୁମା ବିହାରି ୧୮ ରନ କରି ଅପରାଜିତ ରହିଛନ୍ତି।
ଟସ୍ ଜିତି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ପ୍ରଥମେ ଭାରତକୁ ବ୍ୟାଟିଂପାଇଁ ଆମନ୍ତ୍ରଣ କରିଥିଲେ। ଘରୋଇ ବୋଲରମାନେ ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ। ମେଘୁଆ ପାଗ ଓ ପିଚ୍ ପରିବେଶରୁ ଫାଇଦା ଉଠାଇ କେମର ରୋଚ୍ ଓ ଶାନନ ଗାବ୍ରିଏଲ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଦଳୀୟ ସ୍କୋର ମାତ୍ର ୫ ଥିବାବେଳେ ରୋଚ୍ଙ୍କ ବଲ୍ରେ ଶାଇ ହୋପ୍ଙ୍କୁ କ୍ୟାଚ ଦେଇ ମୟଙ୍କ ଅଗ୍ରଓ୍ବାଲ ଆଉଟ ହୋଇଥିଲେ। ୧୩ଟି ବଲ୍ର ସମ୍ମୁଖୀନ ହୋଇଥିବା ମୟଙ୍କ ମାତ୍ର ୫ ରନ କରିବାକୁ ସକ୍ଷମ ହୋଇଥିଲେ। ସେହିପରି ଦଳୀୟ ସ୍କୋରରେ ଆଉ ୨ ରନ ଯୋଗ ହେବାପରେ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ସମାନ ବୋଲର ଓ ଫିଲ୍ଡରଙ୍କୁ କ୍ୟାଚ ଦେଇ କ୍ରିଜ୍ ଛାଡ଼ିଥିଲେ। ପୂଜାରା ୪ ବଲ୍ରୁ ମାତ୍ର ୨ ରନ କରି ଆଉଟ ହେବାରୁ ୫ ଓଭର ବେଳକୁ ଭାରତୀୟ ସ୍କୋର ୭/୨ ହୋଇ ଯାଇଥିଲା। ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ମାତ୍ର କୋହଲି ୧୨ ବଲ୍ରୁ ୨ଟି ଦର୍ଶନୀୟ ଚୌକା ସହାୟତାରେ ୯ ରନ କରିଥିବାବେଳେ ଶାନନ ଗାବ୍ରିଏଲଙ୍କ ବଲ୍ରେ ଶାମରା ବ୍ରୁକ୍ସଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। କୋହଲିଙ୍କ ଆଉଟ ପରେ ସ୍ବାଭାବିକଭାବେ ଓ୍ବେଷ୍ଟଇଣ୍ଡିଜ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ୨୫ ରନରେ ଭାରତ ୩ୟ ଉଇକେଟ ହରାଇଥିଲା। ତେବେ ଲୋକେଶ ଓ ଅଜିଙ୍କ୍ୟ ରାହାନେ ସତର୍କତାର ସହ ବ୍ୟାଟିଂ କରି ପ୍ରଥମ ଦିବସ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଦଳୀୟ ସ୍କୋରକୁ ୬୮/୩ରେ ପହଞ୍ଚାଇଥିଲେ। ସେତେ ବେଳକୁ ରାହୁଲ ୭୦ ବଲ୍ରୁ ୪ ଚୌକା ସହାୟତାରେ ୩୭ ଓ ରାହାନେ ୪୩ ବଲ୍ରୁ ୨ ଚୌକା ସହ ୧୦ ରନ କରି ଅପରାଜିତ ରହିଥିଲେ। ୪ର୍ଥ ଉଇକେଟ ଯୋଡ଼ିରେ ୬୮ ରନ ଯୋଗ ହେବାପରେ ରାହୁଲ ବ୍ୟକ୍ତିଗତ ୪୪(୯୭ ବଲ, ୫ ଚୌକା) ରନ କରି ଆଉଟ ହୋଇଥିଲେ। ରଷ୍ଟନ ଚେଜ୍ ଓ୍ବେଷ୍ଟଇଣ୍ଡିଜକୁ ଏହି ବ୍ରେକ୍ ଥ୍ରୁ ଦେଇଥିଲେ। ଅପେକ୍ଷାକୃତ ଧିମା ଖେଳିଥିବା ରାହାନେ କିନ୍ତୁ ପ୍ରତିପକ୍ଷ ବୋଲରଙ୍କୁ ସଫଳତାର ସହ ମୁକାବିଲା କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧୭ ବଲ୍ରୁ ୭ ଚୌକା ସହାୟତାରେ ୫୦ ରନ ପୂରଣ କରିଥିଲେ। ଟେଷ୍ଟରେ ଏହାଥିଲା ତାଙ୍କର ୧୮ତମ ଅର୍ଦ୍ଧଶତକ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ରୋଚ୍ ୨ଟି ଏବଂ ଗାବ୍ରିଏଲ ଓ ଚେଜ୍ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଭାରତ ଏହି ମ୍ୟାଚରେ ରୋହିତ ଶର୍ମା, ରିଦ୍ଧିମାନ ଶାହ, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ ଓ ଉମେଶ ଯାଦବଙ୍କୁ ବାଦ୍ ଦେଇ ପଡ଼ିଆକୁ ଓହ୍ଲାଇଥିଲା।