Categories: ଅନୁଗୋଳ

ବୈଠକ ବର୍ଜନ, ଧାରଣା ଦେଲେ ପଞ୍ଚାୟତ ପ୍ରତିନିଧି

ବନ୍ତଳା,୧୮ା୧(ଡି.ଏନ.ଏ.) – ଅନୁଗୋଳ ବ୍ଲକ ପ୍ରଶାସନ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟମାନେ ଶୁକ୍ରବାର ସକାଳେ ଆୟୋଜିତ ପଞ୍ଚାୟତ ସମିତି ବୈଠକକୁ ବର୍ଜନ କରିଥିଲେ। ଏଥିସହ ସେମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ମଧ୍ୟ ବସିଥିଲେ। ତେବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଓ ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ପରେଶ ଦେଓଙ୍କ ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହୋଇଥିଲା।
ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି, ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ, ଢେଙ୍କାନାଳ ଏମ୍‌ପିଙ୍କ ପ୍ରତିନିଧି ତପସ୍ବିନୀ ବେହେରା, ବ୍ଲକ ଉପାଧ୍ୟକ୍ଷା ମମତା ପ୍ରଧାନ, ବିଡିଓ ମାୟାଧର ବେହେରା, ଜିଲା ପରିଷଦ ସଭ୍ୟ ହାଡ଼ିବନ୍ଧୁ ଦେହୁରୀ, ଜିପିଓ ଭାସ୍କର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବିଡିଓ ସ୍ବାଗତ ଭାଷଣ ଦେବା ପରେ ଜିପିଓ ପୂର୍ବ ବୈଠକର ବିବରଣୀ ପ୍ରଦାନ କରିଥିଲେ। ଏହି ସମୟରେ ଉପସ୍ଥିତ ପଞ୍ଚାୟତ ପ୍ରତିନିଧିମାନେ ସଭାକୁ ବିରୋଧ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ବିଭିନ୍ନ ବିକାଶମୂଳକ ସରକାରୀ କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ଲୋକ ପ୍ରତିନିଧିମାନଙ୍କୁ ଅଣଦେଖା କରୁଛି। ପ୍ରାୟ ୧୦୦ କୋଟିରୁ ଊଦ୍ଧର୍‌ବ ଟଙ୍କାର ସରକାରୀ ଅନୁଦାନର ସଦୁପଯୋଗ କରାଯାଇ ପାରୁନାହିଁ। ୨୩୫ଟି ରାଜସ୍ବ ଗ୍ରାମ ମଧ୍ୟରୁ ୧୦ଟି ରାଜସ୍ବ ଗ୍ରାମ ଦୀର୍ଘ ୫ ବର୍ଷ ହେବ ଏସ୍‌ଇସିସି ଡାଟା(ସୋସିଆଲ ଇକୋନୋମିକ)ରେ ସାମିଲ ହୋଇ ନ ଥିବାରୁ ସରକାରଙ୍କ ଯୋଜନା ଉକ୍ତ ୧୦ ଗ୍ରାମରେ ପହଞ୍ଚିପାରୁ ନାହିଁ। ସେହିପରି ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଓ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲିପଡ଼ିଥିଲେ ମଧ୍ୟ ତାହା ପୂରଣ ହେଉନାହିଁ। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଏଏନ୍‌ଏମ ନାହାନ୍ତି। ଫଳରେ ରୋଗୀସେବା ବାଧାପ୍ରାପ୍ତ ହେଉଛି। ବ୍ଲକ ପ୍ରଶାସନ ଗ୍ରାମାଞ୍ଚଳ ଠିକାଦାରମାନଙ୍କ ଠାରୁ ୧୪ ଭାଗ ପିସି ନେଉଛନ୍ତି। ଫଳରେ ଉନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ନିମ୍ନମାନର ହେଉଛି। ସେହିପରି ପ୍ରତି ଗ୍ରାମରେ କେତୋଟି ଟଙ୍କା ଲଗାଣକାରୀ ସଂସ୍ଥା ହରିଜନ, ଆଦିବାସୀ ଓ ସ୍ବୟଂସହାୟକ ଗୋଷ୍ଠୀମାନଙ୍କୁ ପ୍ରଲୋଭିତ କରି ଅଧିକ ସୁଧରେ ଅର୍ଥ ଆଦାୟ କରୁଛି। ଇତିମଧ୍ୟରେ ଅନେକ ମହିଳା ସୁଧ ଦେଇ ନ ପାରି ଗାଁ ଛାଡି ପଳାଉଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ପରେ ବିଧାୟକ ଓ ଏମ୍‌ପିଙ୍କ ପ୍ରତିନିଧିମାନେ ପହଞ୍ଚି ଉକ୍ତ ଦାବି ଗୁଡିକ ବିଷୟରେ ଜିଲା ପ୍ରଶାସନଠାରେ ଜଣାଇବା ସହିତ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।