ବୈଜ୍ଞାନିକ ଚେତନାର ଆବାହନ

ମାନବ ଜୀବନକୁ ଦୀର୍ଘାୟୁ କରିବାରେ ବିଜ୍ଞାନର ଯଥେଷ୍ଟ ଅଗ୍ରଗତି ହୋଇଛି। ବିଜ୍ଞାନ ଅନେକ ରୋଗର ନିରାକରଣ କରିଛି, ଅନେକ ଦୁଃସାଧ୍ୟ ରୋଗର ଉପଶମ ଖୋଜି ବାହାର କରିଛି ଏବଂ ଅନେକ ବ୍ୟାଧିକୁ ନିୟନ୍ତ୍ରଣରେ ରଖିପାରିଛି। ଏହାସତ୍ତ୍ୱେ ବିଜ୍ଞାନ ଅନେକ ନୂତନ ଆହ୍ବାନକୁ ପୂର୍ବାନୁମାନ କରିବାରେ ସଫଳ ହୋଇପାରି ନାହିଁ। କରୋନା ଭୂତାଣୁ ବା କୋଭିଡ୍‌-୧୯ ଜୀବନ ପ୍ରଜାତିର ପ୍ରତିବନ୍ଧକ ଅତିକ୍ରମ କରି ମନୁଷ୍ୟ ପ୍ରଜାତିକୁ ସଂକ୍ରମଣ ହେବା ଆଜି ବିଶ୍ୱ ଗଣମାଧ୍ୟମର ମୁଖ୍ୟ ଖବର ସାଜିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କରୋନାକୁ ମହାମାରୀ ବୋଲି ଘୋଷଣା କରିସାରିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କୌଣସି ରୋଗକୁ ମହାମାରୀର ଆଖ୍ୟା ଦିଏ, ଯାହା ବିଶ୍ୱର କୋଣ ଅନୁକୋଣକୁ ପରିବ୍ୟାପ୍ତ ହୋଇ ସମଗ୍ର ମାନବ ସମାଜକୁ ଅତିଶୟ ଭାବରେ ପ୍ରଭାବିତ କରିଥାଏ। ଖୁବ୍‌ କମ୍‌ ରୋଗକୁ ଅତୀତରେ ଏହି ଆଖ୍ୟା ଦିଆଯାଇଛି, ଯେମିତିକି ୧୯୧୮ର ସ୍ପାନିସ ଫ୍ଲୁ, ୨୦୦୯ରେ ସ୍ବାଇନ୍‌ ଫ୍ଲୁ ଏବଂ ୧୯୫୯ରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ଏଡ୍‌ସ ଅନ୍ୟତମ।
କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ଷିପ୍ରଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସଂକ୍ରମଣ ରୋଗ ପାଇଁ ସତର୍କତା ଜାରି ଛ’ଟି ପର୍ଯ୍ୟାୟରେ ପର୍ଯ୍ୟବସିତ। (୧) କେବଳ ପଶୁମାନଙ୍କ ମଧ୍ୟରେ ସଂକ୍ରମଣ, (୨) ସ୍ବଳ୍ପ ସଂଖ୍ୟାରେ ମାନବ ସଂକ୍ରମଣ, (୩) ଅଧିକ ସଂଖ୍ୟାରେ ମାନବ ସଂକ୍ରମଣ, (୪) ଗୋଷ୍ଠୀ ସ୍ତରରେ ସଂକ୍ରମଣ, (୫) ଅତି କମ୍‌ରେ ଦୁଇଟି ଦେଶରେ ସଂକ୍ରମଣ ବ୍ୟାପ୍ତ, (୬) ସର୍ବଶେଷରେ ମହାମାରୀ। ଅନେକ ଶକ୍ତିଶାଳୀ ଦେଶ ସହିତ ଭାରତ ଓ ବିଶ୍ୱର ପ୍ରାୟ ସମସ୍ତ ଦେଶ କରୋନାକୁ ଜାତୀୟ ବିପର୍ଯ୍ୟୟ/ବିପତ୍ତି ବୋଲି ଘୋଷଣା କରିଛନ୍ତି। ୨୦୨୦ ମେ ୧୪ସୁଦ୍ଧା ସାରା ବିଶ୍ୱରେ ୪୪,୭୧,୬୦୪ ବ୍ୟକ୍ତି ସଂକ୍ରମିତ ହୋଇ ସାରିଲେଣି ଏବଂ ୨,୯୯,୬୧୯ ଜଣ ମୃତ୍ୟୁବରଣ କରି ସାରିଛନ୍ତି। ବିଶେଷଭାବରେ ଆମେରିକାରେ ୧୪,୩୫,୨୩୪ ବ୍ୟକ୍ତି ସଂକ୍ରମିତ ହେବାସହ ୮୫,୪୦୮ ବ୍ୟକ୍ତି ମୃତ୍ୟୁବରଣ କରିସାରିଲେଣି। ଚାଇନାରେ ୮୨,୯୨୯ ବ୍ୟକ୍ତି ସଂକ୍ରମିତ ଏବଂ ୪୬୩୩ ବ୍ୟକ୍ତି ମୃତ, ଭାରତରେ ୭୯,୩୩୩ ବ୍ୟକ୍ତି ସଂକ୍ରମିତ ଏବଂ ୨୫୬୪ ଜଣ ମୃତ୍ୟୁବରଣ କରିସାରିଲେଣି।
ରୋଗ ଦେଶର ସୀମା ଅତିକ୍ରମ କରିବା ସହ ସାମାଜିକ, ଅର୍ଥନୈତିକ ଭଳି ବିଭିନ୍ନ ସୀମା ଅକ୍ଳେଶରେ ଲଙ୍ଘନ କରିପାରେ। ଏକ ଘାତକ ଭୂତାଣୁ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଅତିକ୍ରମ କରି ମୃତ୍ୟୁର ତାଣ୍ଡବଲୀଳା ରଚିବା ଏବଂ ସାରା ମାନବ ସମାଜକୁ ଆତଙ୍କିତ କରିପକାଇବା ଫଳରେ ଆଧୁନିକ ମାନବ ସମାଜ ଗଢ଼ିଥିବା ପ୍ରଗତିର ଦୀର୍ଘ ଅଟ୍ଟାଳିକା ଯେ ଅତ୍ୟନ୍ତ ଦୁର୍ବଳ ଭିତ୍ତିଭୂମି ଉପରେ ଅବସ୍ଥାପିତ ତାହା ଆଜି ପଦାରେ ପଡ଼ିଯାଇଛି। ପ୍ରଥମ ପର୍ଯ୍ୟାୟରେ ଭାରତର କିଛି ମହାନଗର ଭିତରେ ସୀମିତ ଥିବା କରୋନା ଭୂତାଣୁ ଅନ୍ୟ ଦେଶରୁ ଆମଦାନୀ ହୋଇଥିଲା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅନ୍ୟ ସହରଗୁଡ଼ିକୁ ବ୍ୟାପିଲା ଏବଂ ତୃତୀୟ ପର୍ଯ୍ୟାୟରେଏହା ଗ୍ରାମାଞ୍ଚଳକୁ ମଧ୍ୟ ଗ୍ରାସ କରିସାରିଲାଣି।
ବିଭିନ୍ନ ସ୍ବାସ୍ଥ୍ୟ ସଂଗଠନ, ସରକାରୀ ସଂସ୍ଥା, ଗଣମାଧ୍ୟମ ଓ ସାଧାରଣ ଜନତା ଏହି ଭୂତାଣୁକୁ ବୁଝିବା ଓ ନିୟନ୍ତ୍ରଣ କରିବାରେ ଅନେକ ସମୟ ଓ ଶକ୍ତି ବିନିଯୋଗ କରିସାରିଲେଣି। କରୋନା ଭୂତାଣୁ ସମଗ୍ର ମାନବଜାତି ଆଗରେ ଆଜି ତିନିଟି ବଡ଼ ପ୍ରଶ୍ନ ଉତ୍‌ଥାପନ କରିଛି। (୧) ପରିବେଶ କ’ଣ ଏହି ଭୂତାଣୁର ଜନ୍ମଦାୟକ? (୨) ବ୍ୟାପକ ସଂଖ୍ୟାରେ ମନୁଷ୍ୟ ଦେଶାନ୍ତର ବା ରାଜ୍ୟାନ୍ତର କ’ଣ କରୋନା ଭୂତାଣୁର ବ୍ୟାପିବା ପାଇଁ ଦାୟୀ? (୩) ବିଭିନ୍ନ ଦେଶ ଓ ରାଜ୍ୟ ସରକାରମାନେ କିଭଳି ଭାବରେ ଏହି ଅପ୍ରତ୍ୟାଶିତ, ସମ୍ଭାବ୍ୟ ବିନାଶକାରୀ ବିପଦକୁ କାବୁ କରିବେ? କରୋନାର ଏକ ଅପ୍ରତ୍ୟାଶିତ ପରିଣାମ ଭାବରେ ରୋଗ କିପରି ଭାବରେ ବ୍ୟାପିଥାଏ ଏବଂ ଏହାର ପ୍ରତିବନ୍ଧକ ପାଇଁ କ’ଣ ସବୁ କରାଯିବା ବିଧେୟ ଏହାରି ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି ହୋଇଛି।
ପ୍ରତ୍ୟେକ ଗଣମାଧ୍ୟମ ଗୁରୁତ୍ୱାରୋପ କରୁଛନ୍ତି ଯେ, କିପରି ସାବୁନ ଲଗାଇ ହାତ ସଫା କରିବା କିମ୍ବା ସାନିଟାଇଜର ଲଗାଇ ହାତକୁ କୀଟାଣୁ ମୁକ୍ତ କରିବା, କହୁଣି କୋଣ ମଧ୍ୟରେ ଛିଙ୍କିବା, କାଶିବା ବେଳେ ରୁମାଲ୍‌ ବ୍ୟବହାର କରିବା, ଅନ୍ୟମାନଙ୍କଠାରୁ ଦୂରତା ରକ୍ଷା କରିବା, କରମର୍ଦ୍ଦନ ନ କରି ନମସ୍କାର କରିବା ଇତ୍ୟାଦି ଶିଷ୍ଟାଚାର। ଏହିସବୁ ସତର୍କତା ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅନେକ ସାଧାରଣ ଜ୍ଞାନର ଧାରଣା ଦେଇଥାଏ ଯେ କରୋନା ପ୍ରଶ୍ୱାସ ମାଧ୍ୟମରେ ଅନ୍ୟ ସଂକ୍ରମିତ ବ୍ୟକ୍ତିର ଛିଙ୍କ ବା କାଶରୁ ନିର୍ଗତ ଅତି କ୍ଷୁଦ୍ର ଜଳକଣା ଏବଂ ସଂକ୍ରମିତ ପୃଷ୍ଠଗୁଡ଼ିକ ସଂସ୍ପର୍ଶରେ ବିସ୍ତାର ହୁଏ। ଜୀବାଣୁ ଏବଂ କୀଟାଣୁଙ୍କର ଅସ୍ତିତ୍ୱ ଏବଂ ଏହାଦ୍ୱାରା ମଣିଷ ଶରୀରର ସଂକ୍ରମଣ ମଧ୍ୟ ଏହି ଧାରଣାର ଅଂଶବିଶେଷ। ସଂକ୍ଷେପରେ ଏହା ଆମର ଅଗୋଚରରେ ପ୍ରମାଣ ଓ କାରଣଭିତ୍ତିକ ବିଶ୍ୱ ଦୃଷ୍ଟିଭଙ୍ଗୀର ସ୍ବୀକାରକୁ ସୂଚାଏ। ଅତ୍ୟନ୍ତ ପରିତାପର ବିଷୟ ଯେ, ଏହି ସମୟରେ ଅନେକ ଧର୍ମ ପ୍ରଚାରକ ଓ ଆତ୍ମଘୋଷିତ ବାବାମାନେ ମଧ୍ୟ ଶ୍ୱାସକ୍ରିୟାରେ କୌଣସି ଜଟିଳତା, ଉଚ୍ଚ ଜ୍ୱର ଭଳି ଲକ୍ଷଣ ଦେଖାଦେଲେ ପ୍ରମାଣଭିତ୍ତିକ ଚିକିତ୍ସା ବ୍ୟବସ୍ଥାରେ ତାଲିମପ୍ରାପ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଉଛନ୍ତି।
ଏଥିରୁ କିନ୍ତୁ କହିବା ଠିକ୍‌ ହେବନି ଯେ, ଆମ ସମାଜ ସମ୍ପୂର୍ଣ୍ଣ ଭାବରେ ବୈଜ୍ଞାନିକ ଦୃଷ୍ଟିକୋଣକୁ ଗ୍ରହଣ କରିନେଇଛି। କାରଣ ଅନେକ ଜ୍ୟୋତିଷୀ ମଧ୍ୟ ଏହି ସମୟରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ, ରାହୁ ଓ କେତୁଙ୍କର କୋପ ଯୋଗୁ ହିଁ କରୋନା ମହାମାରୀ ବ୍ୟାପିଛି। କେହି କେହି ମଧ୍ୟ ଏଥିରୁ ଉଦ୍ଧାର ପାଇବା ପାଇଁ ନର୍ଦ୍ଦିଷ୍ଟ ରୀତିନୀତି ଉପରେ ଭରସା ବାନ୍ଧିଛନ୍ତି, ଠିକ୍‌ ଯେମିତି ଆଲବର୍ଟ କାମସଙ୍କ ରଚିତ ‘ଆଲଜେରିଆର ଓରାନ ସହରରେ ପ୍ଲେଗ’ ରେ ଜଣେ ଧର୍ମଯାଜକ ନିଜର କର୍ତ୍ତୃତ୍ୱ ଜାହିର କରିବା ପାଇଁ ମହାମାରୀ କବଳରୁ ରକ୍ଷା ପାଇବା ଲାଗି ଭଗବାନଙ୍କୁ ଆବାହନ କରି ଧର୍ମର ଆଶ୍ରୟ ନେବା ପାଇଁ ପ୍ଲେଗକୁ ଏକ ମହାସୁଯୋଗ ଭଳି ବ୍ୟବହାର କରନ୍ତି। କିନ୍ତୁ ଅଧିକାଂଶ ଭାରତୀୟ ପ୍ରଭାବ ବିହୀନ, ମିଥ୍ୟା ଅନୁମାନ ଏବଂ ଡାହା ମିଥ୍ୟା ତଥ୍ୟ ଉପରେ ଭରସା ନ କରି ପ୍ରମାଣଭିତ୍ତିକ ଯୁକ୍ତି ଉପରେ ଭରସା କରୁଥିବେ। ଜୀବନ ଯେତେବେଳେ ସଙ୍କଟରେ ଥାଏ ବ୍ୟକ୍ତିମାନେ ସାଧାରଣତଃ ଯାହା ଫଳପ୍ରଦ ତାକୁ ହିଁ ବାଛିଥାନ୍ତି। ସେମାନେ ଏହା କରିଥାନ୍ତି, କାରଣ ଅଧିକାଂଶ ହୃଦୟଙ୍ଗମ କରିଥିବେ ଯେ ଅନ୍ଧ ରୀତିନୀତି କୌଣସି ଫଳପ୍ରଦ ହେବ ନାହିଁ ବରଂ ନିୟମିତ ହାତ ଧୋଇବା ଫଳପ୍ରଦ ହୋଇପାରେ।
ନିଶ୍ଚିତ ଭାବରେ ରାହୁ କେତୁ ଉପାଖ୍ୟାନଠାରୁ ଭୂତାଣୁ ସଂକ୍ରମଣ ଉପାଖ୍ୟାନ ଅଧିକ ଯୁକ୍ତିଯୁକ୍ତ। ଅତୃପ୍ତ ଆତ୍ମାର ପେସଣ ଉପରେ ପର୍ଯ୍ୟବସିତ କପୋଳକଳ୍ପିତ ଗଳ୍ପକୁ ମୁହଁମୋଡ଼ି ଜନସାଧାରଣ ଯୁକ୍ତି, ପ୍ରମାଣ ଓ ପର୍ଯ୍ୟବେକ୍ଷଣ ଉପରେ ଆଧାରିତ ସିଦ୍ଧାନ୍ତ ଆଡ଼କୁ ଗୁରୁତ୍ୱ ଦେଇଥାନ୍ତି, ଯେତେବେଳେ ନିଜେ ଅନୁଭବ କରିଥାନ୍ତି ଯେ କ’ଣ କାଟୁ କରୁଛି ଆଉ କ’ଣ କାଟୁ କରୁନାହିଁ।
କରୋନା ପାଇଁ ଜନସାଧାରଣଙ୍କର ବିଭିନ୍ନ ପ୍ରିତିକ୍ରିୟାକୁ ଦେଖି ମନେହୁଏ ଯେ ଆମେମାନେ ଯେପରି ଏକ ରୋଗ ନିୟନ୍ତ୍ରଣର ସଂସ୍କୃତି ଆଡ଼କୁ ଅଗ୍ରସର କରିସାରିଛେ। ଏହି ପରିପ୍ରେକ୍ଷୀରେ ତଥ୍ୟ ସଂଗ୍ରହ ଅତ୍ୟନ୍ତ ଗୁରୁତ୍ୱ ରଖେ। ଭାରତୀୟ ଗଣମାଧ୍ୟମଗୁଡ଼ିକ କରୋନାରେ ବିଶେଷ ପ୍ରଭାବିତ ହେଉଥିବା ଦେଶ, ମୃତ୍ୟୁ ସଂଖ୍ୟା, ଉପଶମ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା, ବୟସ ସହିତ କରୋନାର ସମ୍ବନ୍ଧ ଆଦି ସୂଚନା ଲଗାତର ଭାବରେ ପରିବେଷଣ କରୁଛନ୍ତି। ରୋଗ ନିୟନ୍ତ୍ରଣ ଓ ନିରାକରଣ ନିମିତ୍ତ ତଥ୍ୟ ଓ ପରିସଂଖ୍ୟାନର ଏକାନ୍ତ ଆବଶ୍ୟକତା ଅଛି ବୋଲି ବିଶେଷଭାବରେ ଜନସଚେତନତା ବୃଦ୍ଧି ପାଇଛି। ପ୍ରମାଣଭିତ୍ତିକ ଯୁକ୍ତିର ବ୍ୟାପକ ଜନାଦୃତ ହେବା ନିମିତ୍ତ ଏ ସବୁ ଗୋଟିଏ ଗୋଟିଏ କ୍ଷୁଦ୍ରାତିକ୍ଷୁଦ୍ର ପ୍ରଗତି ଏବଂ ଫଳାଫଳଭିତ୍ତିକ ବିଶ୍ୱ ଜ୍ଞାନର ଛୋଟ ବିଜୟ। ଯେହେତୁ ଏ ସବୁ ପ୍ରତିଫଳନ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ମୌଳିକ ଉପାଦାନ, ଜଣେ ଦୃଢ଼ତାର ସହ କହିପାରିବ ଯେ, ଆମେ ବୈଜ୍ଞାନିକ ଚେତନା ଆଣିବାରେ କିଞ୍ଚିତ ପ୍ରଗତି କରିଛେ।
ନିରୀକ୍ଷଣ, ପରୀକ୍ଷଣ, ଅନୁଧ୍ୟାନ, ବିଭକ୍ତୀକରଣ, ପୁନରାବୃତ୍ତି ପ୍ରକ୍ରିୟାକୁ ଚିହ୍ନଟ ଏବଂ ଏ ସବୁର କାରଣ ଖୋଜି ବାହାର କରିବା ବିଜ୍ଞାନର ଅବିଚ୍ଛେଦ୍ୟ ବୈଶିଷ୍ଟ୍ୟ । ତଥାପି ଆମେ ସମସ୍ତେ ବୈଜ୍ଞାନିକ ନୁହନ୍ତି ଅଥବା ଏହାର କୌଣସି ଆବଶ୍ୟକତା ଅଛି। ତଥାପି ସାମ୍ପ୍ରତିକ ସମାଜରେ ବଞ୍ଚିବା ପାଇଁ କ୍ରମଶଃ ଏହା ଅତ୍ୟାବଶ୍ୟକ ହୋଇ ପଡୁଛି ଯେ ସଭିଏଁ ବୈଜ୍ଞାନିକତ୍ୱକୁ ହୃଦୟଙ୍ଗମ ଓ ବ୍ୟବହାର କରନ୍ତୁ। ବିଜ୍ଞାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ବିଜ୍ଞାନ ସକ୍ଷମ। ବୈଜ୍ଞାନିକ ଚେତନା ଗୁରୁତ୍ୱପୂର୍ଣ୍ଣ, କାରଣ ଏହାର ଅନୁପସ୍ଥିତିରେ ଏହାର ଲାଭ ସମସ୍ତଙ୍କ ପାଖରେ ପହଞ୍ଚତ୍ ପାରିବ ନାହିଁ।
ଆମେ ଯଥାଶୀଘ୍ର ମାନିନେବା ବାଞ୍ଛନୀୟ ଯେ, ବୈଜ୍ଞାନିକ ଚେତନା କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଉପଯୋଗୀ ଏବଂ କିଛି ନିର୍ଦ୍ଦିିଷ୍ଟ ଉଦ୍ଦେଶ୍ୟରେ ଅତ୍ୟାବଶ୍ୟକ। ଯଦି ଏହା ସତ୍ୟ, ଏହାର ସଂରଚନା ପାଇଁ କ’ଣ କ’ଣ ପୂର୍ବ ସ୍ଥିତି ଆବଶ୍ୟକ? ପ୍ରଥମତଃ କୌଣସି ମତାମତ ବା ଦୃଢ଼ୋକ୍ତିକୁ ସହଜରେ ଗ୍ରହଣ ନ କରିବାର ସ୍ବଭାବ ବା ନିଜସ୍ବ ଦୀର୍ଘ ଧାରଣାର ପରିପନ୍ଥୀ କୌଣସି ନୂଆ ଚିନ୍ତାଧାରାକୁ ତୁରନ୍ତ ପ୍ରତ୍ୟାଖ୍ୟାନ ନ କରିବା। ଉଦାହରଣ ସ୍ବରୂପ ଯଦି କିଏ କୁହେ ଯେ ରସୁଣର ଗୋଟେ ପାଖୁଡ଼ା ଖାଇଦେଲେ ଉଚ୍ଚ ରକ୍ତଚାପ ହ୍ରାସ ପାଇଯିବ ଅଥବା ଭାରତର ଅଭିବୃଦ୍ଧି ହାର ୭ ପ୍ରତିଶତ ତାକୁ ତୁରନ୍ତ ଗ୍ରହଣ ନ କରିବା, ଏହିସବୁ ତଥ୍ୟ ଉପରେ କିଛିଟା ସୁସନ୍ଦେହ ରହିବା ଗୁରୁତ୍ୱପୂର୍ଣ୍ଣ। ତତ୍‌ସହିତ କୌଣସି ଦୃଢ଼ୋକ୍ତି ବା ତଥ୍ୟ ସହଜରେ ଗ୍ରହଣଯୋଗ୍ୟ ହେବା ଉଚିତ ନୁହେଁ, ଯଦି ବି ଏହା ସଂଖ୍ୟାଧିକ ବା ରାଜନୈତିକ କ୍ଷମତାରେ ଥିବା ବା ଧାର୍ମିକ ଅଧିକାରୀଙ୍କ ଦ୍ୱାରା ପ୍ରଦତ୍ତ। ପ୍ରମାଣଭିତ୍ତିକ ଦୃଢ଼ୋକ୍ତି ଅନ୍ଧବିଶ୍ୱାସ ଓ କୁସଂସ୍କାରର ଶତ୍ରୁ ଅଟନ୍ତି। ଦ୍ୱିତୀୟତଃ ବିଜ୍ଞାନ ସୂଚାଏ ଯେ, ସତ୍ୟ ସର୍ବଦା ପ୍ରହେଳିକା ଭଳି। ପ୍ରତ୍ୟେକ ମାନବିକ ଉଦ୍ୟମ, ଏମିତି କି ବୈଜ୍ଞାନିକ ନିରୀକ୍ଷଣ ବି ଅସମ୍ପୂର୍ଣ୍ଣ, ସଂଶୋଧନସାପେକ୍ଷ ଏବଂ ନିୟମିତ ନିରୀକ୍ଷଣ ଓ ସଂଶୋଧନ ଆବଶ୍ୟକ କରେ। ତୃତୀୟତଃ ବୈଜ୍ଞାନିକ ସିଦ୍ଧାନ୍ତ କ୍ଷମତା ବିରୋଧୀ। ବୈଜ୍ଞାନିକ ଅନୁଷ୍ଠାନଗୁଡ଼ିକ ଯେତେ ଶ୍ରେଣୀବଦ୍ଧ ହେଲେ ମଧ୍ୟ, ଏହାର ମୁଖିଆମାନେ ଯେତେ କ୍ଷମତାଶାଳୀ ହେଲେ ମଧ୍ୟ, ଯଦି ଜଣେ କେହି ଗବେଷକ ଏକ ତତ୍ତ୍ୱ ଉପସ୍ଥାପନ କରନ୍ତି ଯାହା ଦୀର୍ଘଦିନର ବୈଜ୍ଞାନିକ ଦୃଢ଼ୋକ୍ତିକୁ ଆହ୍ବାନ କଲେ ମଧ୍ୟ ତାହା ପରୀକ୍ଷଣ ପାଇଁ ଗ୍ରହଣୀୟ ହେବା ଉଚିତ ଏବଂ ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ପ୍ରତିଷ୍ଠିତ ଅଧିକାରୀଙ୍କ ଦ୍ୱାରା ଦୀର୍ଘ ଗୃହୀତ ଜ୍ଞାନକୁ ପ୍ରତ୍ୟାଖ୍ୟାନ କରିବା ଉଚିତ। ଯେହେତୁ ବୈଜ୍ଞାନିକ ଚେତନା ଏତେ ଗୁରୁତ୍ୱପୂର୍ଣ୍ଣ, ଏହାର ବ୍ୟାପକ ପ୍ରସାର ପାଇଁ ଏକ ନୂତନ ଜନସଂସ୍କୃତିର ଆବାହନ ହେଉ।