Kalpana Das (right) along with Kanchhi Maya Tamang at Everest base camp. Courtesy: Dreamers destination treks
ଭୁବନେଶ୍ୱର, ୨୯ା୫(ସ୍ପୋଟର୍ସ ବ୍ୟୁରୋ)- ଏଭରେଷ୍ଟ ଶୃଙ୍ଗରେ ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀରର ସନ୍ଧାନ ଓ ଉଦ୍ଧାରକାର୍ଯ୍ୟରେ ଶେର୍ପା ଦଳ ସକ୍ଷମ ହୋଇଛନ୍ତି। ସେମାନେ ମଙ୍ଗଳବାର ମରଶରୀରକୁ ବେସ୍ କ୍ୟାମ୍ପ-୪କୁ ଆଣିଛନ୍ତି। ଲୁକ୍ଲାସ୍ଥିତ ବେସ୍ କ୍ୟାମ୍ପରେ ଆବଶ୍ୟକ ଔପଚାରିକତା ପରେ ବୁଧବାର ଏହାକୁ ବିମାନ ଯୋଗେ କାଠମାଣ୍ଡୁ ଅଣାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ଏବଂ ଉଦ୍ଧାରକାରୀ ଦଳ ସହିତ ରାଜ୍ୟ ସରକାରଙ୍କ ଯୋଗାଯୋଗ ଅବ୍ୟାହତ ରହିଛି। କଳ୍ପନାଙ୍କ ପାର୍ଥିବ ଶରୀରକୁ ଯଥା ଶୀଘ୍ର ଅଣାଯାଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବା ଯୋଜନା ଚାଲିଥିବା ସୂଚନା ଦିଆଯାଇଛି। ପ୍ରକାଶ ଯୋଗ୍ୟ ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶା କ୍ରୀଡ଼ାବିତ୍ଙ୍କ ଆଦର୍ଶ ପାଲଟିଥିବା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଗତ ଗୁରୁବାର ମୃତ୍ୟୁ ଘଟିଥିବା ଖବର ଓଡ଼ିଶା କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଥିଲା। ସେ ଦ୍ୱିତୀୟଥରପାଇଁ ଏଭରେଷ୍ଟ ଆରୋହଣ କରି ଫେରୁଥିବାବେଳେ ବାଲକୋନି ଏରିଆରେ ପ୍ରାଣ ହରାଇଥିବା ଖବର ପ୍ରଚାରିତ ହୋଇଥିଲା। ଢେଙ୍କାନାଳର କଳ୍ପନା ପୂର୍ବରୁ ୨୦୦୪ ଓ ୨୦୦୬ରେ ଏଭରେଷ୍ଟ ଆରୋହଣରେ ବିଫଳ ହୋଇଥିଲେ ହେଁ ୨୦୦୮ ମେ ୨୧ରେ ନିଜ ସ୍ବପ୍ନକୁ ସାକାର କରିଥିଲେ। ଓଡ଼ିଶାର ପ୍ରଥମ ପର୍ବତାରୋହୀଭାବେ ସେ ଏଭରେଷ୍ଟ ଆରୋହଣ କରିଥିଲେ। ନିକଟରେ ଦ୍ୱିତୀୟଥରପାଇଁ ସେ ନିଜ ଉଦ୍ୟମରେ ସଫଳ ହୋଇଥିଲେ ହେଁ ପ୍ରତ୍ୟାବର୍ତ୍ତନ ପଥରେ ଏହି ଦୁଃଖଦ ଘଟଣା ଘଟିଥିଲା। ତାଙ୍କ ମରଶରୀର ଆଣିବା ଦାୟିତ୍ୱ ରାଜ୍ୟ ସରକାର ନେଇଥିବାବେଳେ ଓଡ଼ିଶାରୁ ଏକ ଟିମ୍ ନେପାଳ ଯାତ୍ରା କରିଛନ୍ତି।