Businessman holding a cardboard sign looking for a job
ନୂଆଦିଲ୍ଲୀ,୬-୯: ଜିଡିପି ସମେତ ଅନ୍ୟ ଆର୍ଥିକ ତଥ୍ୟ କାରଣରୁ ବିରୋଧୀ ଦଳଗୁଡ଼ିକ ସମାଲୋଚନାର ଶିକାର ହେଉଥିବା ମୋଦି ସରକାରଙ୍କୁ ଆଉ ଏକ ଅଡୁଆ ପରିସ୍ଥିତିର ସାମ୍ନା କରିବାକୁ ପଡିବ। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମୀ(ସିଏମ୍ଆଇଇ) ପକ୍ଷରୁ ଦେଶର ନିଯୁକ୍ତି ସଂକ୍ରାନ୍ତ ସଦ୍ୟତମ ରିପୋର୍ଟ ପ୍ରକାଶ କରାଯାଇଛି। ଅଗଷ୍ଟରେ ବେକାରି ହାର ୩ ବର୍ଷର ସର୍ବୋଚ୍ଚ ସ୍ତର ୮.୪%ରେ ପହଞ୍ଚତ୍ଛି। ଏଥିରେ କୁହାଯାଇଛି ଯେ, ଲୋକେ ଚାକିରି ନ ପାଇ ନିରାଶ ହେଉଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ, ତିନି ବର୍ଷ ପୂର୍ବେ ୨୦୧୬ ସେପ୍ଟେମ୍ବରରେ ବେକାରି ହାର ଏହି ସ୍ତରରେ ପହଞ୍ଚତ୍ଥିଲା। ଏଥିରେ ଅଗଷ୍ଟର ସାପ୍ତାହିକ ବେକାରି ହାର ତଥ୍ୟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ପ୍ରତି ସପ୍ତାହରେ ବେକାରି ହାର ୮ରୁ୯ ପ୍ରତିଶତ ମଧ୍ୟରେ ରହିଛି। ମାସକ ପୂର୍ବରୁ ଜୁଲାଇରେ ସାପ୍ତାହିକ ବେକାରି ହାର ୭ରୁ ୮ ପ୍ରତିଶତ ରହିଥିଲା। ଏହାକୁ ହିସାବକୁ ନେଲେ ବେରୋଜଗାରଙ୍କ ସଂଖ୍ୟା ୧ ପ୍ରତିଶତ ବଢ଼ିଛି। ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ସହରାଞ୍ଚଳରେ ବେକାରି ହାର ୯.୬ ଏବଂ ଗ୍ରାମାଞ୍ଚଳରେ ୭.୮% ରହିଛି।
ରୋଜଗାର ସ୍ଥିତି
ଚଳିତବର୍ଷ ଅଗଷ୍ଟରେ ଗ୍ରାମାଞ୍ଚଳରେ ବାର୍ଷିକ ହାରରେ ରୋଜଗାର ବଢ଼ୁଥିବା ଦେଖିବାକୁ ମିଳିଛି ଏବଂ ଏହା ୨.୯% ରହିଛି। ଅନ୍ୟପକ୍ଷରେ ସହରାଞ୍ଚଳରେ ଏହା ୦.୨% ହ୍ରାସ ପାଇଛି। ରିପୋର୍ଟ ମୁତାବକ ଅଗଷ୍ଟରେ ଶ୍ରମ ଭାଗିଦାରୀତା ହାର ୪୩.୩୫ ପ୍ରତିଶତ ସହ ସାମାନ୍ୟ ବୃଦ୍ଧି ପାଇଛି, ଯାହା କି ଗତବର୍ଷ ଅକ୍ଟୋବରରେ ୪୨.୪୬ ପ୍ରତିଶତ ରହିଥିଲା। ବିମୁଦ୍ରୀକରଣ ଓ ଜିଏସ୍ଟି ଝଟ୍କାରୁ ବାହାରି ଆସିବା ପରେ ଏବେ ଶ୍ରମ ଭାଗିଦାରିତା ବଢ଼ିବାରେ ଲାଗିଛି। ତେବେ ନିଯୁକ୍ତି ପରିସଂଖ୍ୟାନ ସହ ଏହା ମେଳ ଖାଉନାହିଁ। ଲୋକେ ଚାକିରି ଖୋଜୁଛନ୍ତି, ଅଥଚ ପାଉନାହାନ୍ତି। ଏହା ଅର୍ଥନୀତି ପାଇଁ ସତର୍କ ଘଣ୍ଟି।
ମାନ୍ଦାବସ୍ଥା କାରଣରୁ ଯାଉଛି ଚାକିରିି
ଦେଶରେ ଏବେ ଆର୍ଥିକ ମାନ୍ଦାବସ୍ଥା ଗ୍ରାସ କରିଛି। ଏହି କାରଣରୁ ପ୍ରାୟ ସବୁ ସେକ୍ଟର ଉପରେ ବିପଦ ମାଡି ଆସିଛି। ଗତ କିଛି ମାସ ହେବ ଅଟୋମୋବାଇଲ ସେକ୍ଟରରେ ପ୍ରାୟ ସାଢ଼େ ୩ ଲକ୍ଷରୁ ଅଧିକ କର୍ମଚାରୀ ବେକାର ହୋଇଗଲେଣି। ଅଟୋମୋବାଇଲ ପରେ ଟେକ୍ସଟାଇଲ, ଏଫ୍ଏମ୍ସିଜି ଓ ରିଏଲ ଇଷ୍ଟେଟ୍ ସେକ୍ଟରରେ ନିଯୁକ୍ତି ସଙ୍କଟ ଦେଖାଦେଇଛି।