Close up of male hands in bracelets behind back
କଟକ ଅଫିସ,୧୩।୧୦: ବେଆଇନ ଶ୍ରମିକ ଚାଲାଣ କରୁଥିବା ଅଭିଯୋଗରେ ୪୧ ଜଣ ମଧ୍ୟସ୍ଥ ଓ ଦଲାଲଙ୍କୁ ବଲାଙ୍ଗୀର, ନୂଆପଡ଼ା ଜିଲା ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ଡିଜିପି ବି.କେ. ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଏହି ଦୁଇ ଜିଲାର ଏସ୍ପିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମଧ୍ୟସ୍ଥ ଓ ଦଲାଲମାନଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇ ଜିଲାରେ ବେଆଇନ ଶ୍ରମିକ ଚାଲାଣ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା। ତେବେ ଡିଜିପିଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ଏହି ଟିମ୍ ଚଢ଼ାଉ କରି ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରୁ ୮, ତୁରେଇକେଲାରୁ ୬, ବେଲପଡ଼ାରୁ ୫, ଖପ୍ରାଖୋଲରୁ ୪ ଓ ଲାଠୋରରୁ ୨ଜଣଙ୍କୁ ଗିରଫ କରିଥିଲା। ସେହିପରି ନୂଆପଡ଼ା ଜିଲାର ବେଲ୍ଟୁକୁରିରୁ ୩, ଜଙ୍କରୁ ୫, କୋମନାରୁ ୨, ଖରିଆରରୁ ୩, ବୋଡେନରୁ ୧ ଓ ସିନାପାଲିର ୨ଜଣ ମଧ୍ୟସ୍ଥ ଓ ଦଲାଲ ଗିରଫ ହୋଇଛନ୍ତି। ଏ ନେଇ ଉଭୟ ଥାନାରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ସେମାନଙ୍କ ନାମରେ ଉଭୟ ଜିଲାରେ ୧୬ରୁ ଅଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ପୋଲିସ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ରିମାଣ୍ଡରେ ଆଣିବାର ଯୋଜନା ରଖିଥିବା ଜଣାପଡିଛି। ଗିରଫ ଦଲାଲମାନଙ୍କ ସହ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ସମ୍ପର୍କ ରହିଥିବା ପୋଲିସ ସନ୍ଦେହ କରୁଛି। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏଭଳି କରାଯାଇଥିବା ଡିଜିପି ଶର୍ମା କହିଛନ୍ତି।