Categories: ମେଟ୍ରୋ

ବେଆଇନ ମଦ କାରବାର ରୋକିବାକୁ ତାତିଲେ ମହିଳା: ପୋଲିସ ବଦଳରେ ମହିଳାଙ୍କ ଚଢ଼ାଉ

ବେଗୁନିଆ,୩୦ା୫ (ଡି.ଏନ.ଏ.)- ସାମାଜିକ ଚଳଣିରେ ଦେଖା ଦେଇଥିବା ପାରିବାରିକ ବିଶୃଙ୍ଖଳା ସୃଷ୍ଟି ପାଇଁ ନିଶା ଦ୍ରବ୍ୟ ସେବନ ହିଁ ପ୍ରମୁଖ କାରଣ ଅଟେ। ତେବେ ଏହି ବେଆଇନ ମଦ କାରବାରକୁ ରୋକ୍‌ ନ ଲଗାଇଲେ ଆମ ସୁନ୍ଦର ଘର ସଂସାର ଉଜୁଡିଯିବ ବୋଲି ଗଁା ଗହଳିରେ ମହିଳାମାନଙ୍କ ପକ୍ଷରୁ ଆଭାଷ ମିଳୁଛି। ଏ ନେଇ ମଧ୍ୟ କେତେକ ସ୍ଥାନରେ ମହିଳାମାନେ ନିଶା ଦ୍ରବ୍ୟ କାରବାରକୁ ରୋକିବା ପାଇଁ ଆଗକୁ ବାହାରିଛନ୍ତି। ହାତଗୁଞ୍ଜା ନେଇ ଯାହା ଅବକାରୀ ବିଭାଗ କରି ନ ପାରୁଛି ତାହା ଆମେ କରି ଦେଖାଇବୁ ବୋଲ ମହିଳାମାନେ ସଙ୍କଳ୍ପ ନେଲେଣି। ଏହି ପରିପ୍ରେକ୍ଷୀରେ ବେଗୁନିଆ ଥାନା କଣ୍ଟାବାଡ ଗ୍ରାମରେ ମହିଳାମାନେ ଗତ ୩ ଦିନ ହେଲା ଜାଗ୍ରତ ହୋଇଥିବା ଦେଖିବାକୁ ମିଳିଛି। ପ୍ରଥମେ ମଦ ବିରୋଧୀ ସଚେତନ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ପରେ ଗତ ୨ ରାତିରେ ୨ ଜଣ ମଦ କାରବାର କରୁଥିବା ବେପାରୀଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ତେବେ ପୋଲିସ ସେମାନଙ୍କୁ ଜେରା କରୁଛି ବୋଲି କହି ଘଟଣାକୁ ଲୋକଲୋଚନକୁ ଆଣି ନାହିଁ। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଚୋରା ବେପାରୀ ଏବଂ ସେବନ କରୁଥିବା ଯୁବପିଢିମାନଙ୍କ ମହଲରେ ଭୟ ସଞ୍ଚାର ହୋଇଛି। ତେବେ କିଛିଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ମାଦକ ଦ୍ରବ୍ୟ ବେପାର ପ୍ରାୟତଃ ବନ୍ଦ ହୋଇଗଲାଣି ବୋଲି ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ସଫେଇ ଦିଆଯାଇଥିଲା। ହେଲେ କଣ୍ଟାବାଡ ଅଞ୍ଚଳରେ ଯଦି ମାଦକ ଦ୍ରବ୍ୟ ବେପାର ଭୂସ୍ବର୍ଗ ପାଲଟିଛି ତାହା ହେଲେ ଥାନା ଅଧୀନ ଅଞ୍ଚଳରେ କିଭଳି ଭାବେ ଏହି ବେପାରୀ ସାମ୍ରାଜ୍ୟ ବିସ୍ତାର କରୁଥିବେ ବୁଦ୍ଧିଜୀବୀମାନଙ୍କ ମହଲରେ ପ୍ରଶ୍ନ ଉଠିଛି। ହେଲେ ବେଗୁନିଆ ଥାନା ଅଞ୍ଚଳରେ ସାମ୍ରାଜ୍ୟ ବିସ୍ତାର କରିଥିବା ବେଆଇନ ମଦ ବେପାରୀଙ୍କୁ କେବେ ଅଙ୍କୁଶ ଲଗାଇବ ତାହା ସାଧାରଣରେ ଚର୍ଚ୍ଚା ଜୋର ହେଉଛି। ଏ ସମ୍ପର୍କରେ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କୁହନ୍ତି, ବେଆଇନ ମଦ କାରବାରକୁ ରୋକିବା ପାଇଁ ଟିମ୍‌ ଗଠନ କରାଯାଇଛି।