**EDS: FILE PHOTO** Hyderabad: In this Oct. 14, 2018 file photo, Indian bowler Umesh Yadav reacts during the second cricket test match against West Indies in Hyderabad. Paceman Umesh Yadav replaced Jasprit Bumrah in the Indian squad for the three matches against the Proteas, beginning in Visakhapatnam from Oct. 2, 2019. (PTI Photo/Kamal Kishore)(PTI9_24_2019_000173B) *** Local Caption ***
ନୂଆଦିଲ୍ଲୀ,୨୫।୯(ପି.ଟି.)- ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଭାରତୀୟ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ବାଦ୍ ପଡିଛନ୍ତି। ଫଳରେ ଭାରତର ପ୍ରସ୍ତୁତିକୁ ଝଟ୍କା ଲାଗିଛି। ପିଠିର ନିମ୍ନ ଭାଗରେ ଷ୍ଟ୍ରେସ୍ ଫ୍ରାକଚର କାରଣରୁ ବୁମ୍ରା ଏହି ସିରିଜରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି। ଏହି ସିରିଜରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ।
ନିୟମିତ ଭାବେ କରାଯାଉଥିବା ରେଡିଓଲୋଜିକାଲ ସ୍କ୍ରିନିଂ ଅବସରରେ ବୁମ୍ରାଙ୍କ ଏହି ଇଞ୍ଜୁରି ଥିବା ଜଣାପଡିଥିଲା। ଏବେ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍ସିଏ)ରେ ଚିକିତ୍ସା କରାଇବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମେଡିକାଲ ଟିମ୍ ବୁମ୍ରାଙ୍କ ଇଞ୍ଜୁରିର ତଦାରଖ ବା ଯାଞ୍ଚ୍ କରିବ। ବୁମ୍ରାଙ୍କ ବଦଳ ଖେଳାଳିଭାବେ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ସିନିୟର ଚୟନ କମିଟି ସୂଚାନ ଦେଇଛି। ୨୦୧୮ ଡିସେମ୍ବରରେ ଯାଦବ ଶେଷଥର ପାଇଁ ଟେଷ୍ଟ ଖେଳିଥିଲେ। ସଦ୍ୟ ସମାପ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ମଧ୍ୟ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏହି ସିିରିଜ ୧-୧ରେ ଡ୍ର ରହିଥିଲା। ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜରେ ବୁମ୍ରା ଶେଷ ଥର ପାଇଁ ଖେଳିଥିଲେ। ହ୍ୟାଟ୍ରିକ ନେବା ସହ ୨୫ ବର୍ଷୀୟ ବୁମ୍ରା ଦୁଇଟି ଟେଷ୍ଟରୁ ୧୩ଟି ଉଇକେଟ ଅକ୍ତିଆର କରିଥିଲେ। ଟେଷ୍ଟରେ ଦ୍ରୁତତମ ଭାରତୀୟ ବୋଲର ଭାବେ ବୁମ୍ରା ୫୦ ଉଇକେଟ ଅକ୍ତିଆର କରିଛନ୍ତି। ମାତ୍ର ୧୧ଟି ମ୍ୟାଚ୍ ଖେଳି ବୁମ୍ରା ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ତାଙ୍କ ପୂର୍ବରୁ ଭେଙ୍କଟେଶ ପ୍ରସାଦ ଓ ମହମ୍ମଦ ସାମି ୧୩ଟି ମ୍ୟାଚ୍ ଖେଳି ୫୦ ଉଇକେଟ ହାସଲ କରିଥିଲେ।
ଅପରପକ୍ଷରେ ୩୧ ବର୍ଷୀୟ ଯାଦବ ଏପର୍ଯ୍ୟନ୍ତ ୪୧ଟି ଟେଷ୍ଟ ଖେଳି ୩୩.୪୭ ରନ ହାରରେ ୧୧୯ଟି ଉଇକେଟ ହାସଲ କରିଛନ୍ତି। ବିଶାଖାପାଟନାରେ ପ୍ରଥମ ଟେଷ୍ଟ ଆସନ୍ତ ୨ ତାରିଖରୁ ଆରମ୍ଭ ହେବ। ସେହିପରି ପୁଣେରେ ଦ୍ୱିତୀୟ ଟେଷ୍ଟ ୧୦ରୁ ୧୪ ତାରିଖ ମଧ୍ୟରେ ଖେଳାଯିବ। ରାଞ୍ଚିରେ ତୃତୀୟ ଟେଷ୍ଟ ୧୯ରୁ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହେବ।
ପରିବର୍ତ୍ତିତ ଭାରତୀୟ ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, କୁଲଦୀବ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଇଶାନ୍ତ ଶର୍ମା ଓ ଶୁବମନ ଗିଲ।