India's Jasprit Bumrah celebrates after the dismissal of Bangladesh's Sabbir Rahman during the Cricket World Cup match between India and Bangladesh at Edgbaston in Birmingham, England, Tuesday, July 2, 2019. (AP Photo/Rui Vieira)
ମୁମ୍ବାଇ,୧୨।୧(ପି.ଟି.)- ଭାରତୀୟ ତରାକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ପାଇବେ ସମ୍ମାନଜନକ ପଲି ଉମ୍ରିଗର ପୁରସ୍କାର। ୨୦୧୯-୨୦ ସିଜନରେ ଅନ୍ତର୍ଜାତୀୟ କ୍ରିକେଟରେ ଆସାଧାରଣ ପ୍ରଦର୍ଶନ ପାଇଁ ଏଥର ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ରବିବାର ତାଙ୍କୁ ବିସିସିଆଇ ବାର୍ଷିକ ପୁରସ୍କାର ଉତ୍ସବରେ ଏହି ପୁରସ୍କାରରେ ସମ୍ମାନିତ କରାଯିବ।
ଦିନିକିଆରେ ବିଶ୍ୱର ୧ ନମ୍ବର ବୋଲର ବୁମ୍ରା ୨୦୧୮ ଜାନୁୟାରୀରେ ଦକ୍ଷିଣ ଅଫ୍ରିକା ଗସ୍ତରେ ଟେଷ୍ଟ ପଦାର୍ପଣ କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜରେ ସେ ୫ ଉଇକେଟ ସଫଳତା ଅର୍ଜନ କରିଛନ୍ତି। ସେ ଏସିଆର ପ୍ରଥମ ତଥା ଏକମାତ୍ର ବୋଲର ଭାବେ ଏହି ସଫଳତା ପାଇଛନ୍ତି।
ଅଷ୍ଟ୍ରେଲିଆରେ ଭାରତ ୨-୧ରେ ଐତିହାସିକ ସିରିଜ ବିଜୟ ହାସଲ କରିଥିଲା ଓ ଏହି ବିଜୟରେ ବୁମ୍ରାଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ପୁରୁଷ କ୍ରିକେଟ ଭାବେ ବୁମ୍ରା ଏହି ସମ୍ମାନ ହାସଲ କରିବାକୁ ଯାଉଥିବା ବେଳେ ପୁନମ ଯାଦବ ମହିଳା ବିଭାଗରେ ଏହି ପୁରସ୍କାର ପାଇବେ। ପୁନମ୍ଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ପୂର୍ବରୁ ଲେଗ୍ ସ୍ପିନର ପୁନମ ଅର୍ଜୁନ ପୁରସ୍କାର ହାସଲ କରିଛନ୍ତି।
ସେହିପରି ପୂର୍ବତନ ଅଧିନାୟକ କ୍ରିଷ୍ଣାମାଚାରୀ ଶ୍ରକାନ୍ତ ଓ ଅଞ୍ଜୁମ ଜୋପ୍ରାଙ୍କୁ ଯଥାକ୍ରମେ ସିକେ ନାୟୁଡୁ ଲାଇଫ୍ଟାଇମ୍ ଆଚିଭମେଣ୍ଟ ଓ ବିସିସିଆଇ ଲାଇଫ୍ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯିବ । ଏହି ଉତ୍ସବରେ ମୋଟ ୨୫ଟି ପୁରସ୍କାର ପ୍ରଦାନ କରାଯିବ। ଏଥର ୪ଟି ନୂଆ ପୁରସ୍କାରକୁ ଏଥିରେ ସାମିଲ କରାଯାଇଛି। ଦିନିକିଆରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ଓ ସର୍ବାଧିକ ଉଇକେଟ ହାସଲକାରି ବୋଲରଙ୍କୁ ପୁରସ୍କୃତ କରାଯିବ। ଏଥବ ସହିତ ପୁରୁଷ ମହିଳା ବିଭାଗରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ପଦାର୍ପଣ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ।