Categories: ଅନୁଗୋଳ

ବିସ୍ତାରିତ ହେବ ବ୍ୟବସାୟିକ ପ୍ରତିଷ୍ଠାନ : ଅନୁଗୋଳରେ ଖୋଲିଲା ସିଏଆଇଟି ଶାଖା

ଅନୁଗୋଳ ଅଫିସ, ୯।୬  – ଅନୁଗୋଳ ଓ ଆଖପାଖ ସହରରେ ବ୍ୟବସାୟିକ ସମସ୍ୟାର ତ୍ୱରିତ ସମାଧାନ ସହ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ପ୍ରତିଷ୍ଠାନକୁ ବିସ୍ତାର କରାଯିବ। ଏଥିପାଇଁ ଅନୁଗୋଳରେ କନ୍‌ଫିଡରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଓଡ଼ିଶାର ଦ୍ୱିତୀୟ ଶାଖା ଖୋଲିଛି। ସରକାରଙ୍କ ସହ ମିଶି ସ୍ଥାନୀୟ ବ୍ୟବସାୟୀଙ୍କ ସମସ୍ୟାକୁ ଦୂର କରିବା ଏହାର ଲକ୍ଷ୍ୟ ରହିଛି। ପଞ୍ଚମହଲା ସ୍ଥିତ ଆସିୟାନା ହିଲ୍‌ ସାଇଡ଼୍‌ ହୋଟେଲରେ ସିଏଆଇଟିର ପ୍ରଥମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଏମ୍‌ପି ମହେଶ କୁମାର ସାହୁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ନାଲ୍‌କୋ ବ୍ୟବସାୟିକ ନିର୍ଦ୍ଦେଶକ ଏମ୍‌ପି ମିଶ୍ରା, ସିଏଆଇଟି ରାଜ୍ୟ ସଭାପତି ସୁଧାକର ପଣ୍ଡା, ଜାତୀୟ ଉପସଭାପତି ବ୍ରଜମୋହନ ଅଗ୍ରୱାଲ ଉପସ୍ଥିତ ଥିଲେ। ସିଏଆଇଟି ଶାଖା ଗଢ଼ାଯିବା ପରେ ଅନୁଗୋଳ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ଅନୁଗୋଳ ସିଏଆଇଟିର ସଭାପତି ଭାବେ ରାଜକୁମାର ଶୁକ୍ଲା, ଅଧ୍ୟକ୍ଷ ଭାବେ ଜିତେନ୍ଦ୍ର କୁମାର ଗୁପ୍ତା ନିର୍ବାଚିତ ହୋଇଥିଲେ। ସେହିପରି ଉପଦେଷ୍ଟା ଭାବେ ଅଶୋକ କୁମାର ସୁରାରକା, ସୁଦର୍ଶନ ଅଗ୍ରୱାଲ, ଉପସଭାପତି ଭାବେ ରାଜେଶ କୁମାର ଧଳ, ଆଶିଷ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ଭାବେ କୈଳାସ ଚନ୍ଦ୍ର ଅଗ୍ରୱାଲ, ଅତିରିକ୍ତ ସାଧାରଣ ସମ୍ପାଦକ ମହେଶ କୁମାର ଗର୍ଗ, ରୋହିତ ଲିହାଲାଙ୍କୁ କୋଷାଧ୍ୟକ୍ଷ ଓ ମନୋଜ ଅଗ୍ରୱାଲଙ୍କୁ ଅତିରିକ୍ତ କୋଷାଧ୍ୟକ୍ଷ, ଆନନ୍ଦ ଅଗ୍ରୱାଲଙ୍କୁ ସ୍କ୍ରିନ୍‌ କମିଟିର ଚେୟାର ପର୍ସନ ଭାବେ ମନୋନୀତ କରାଯାଇଥିଲା। ପରେ ମନୋନିତ କର୍ମକର୍ତ୍ତା ଓ ସଦସ୍ୟମାନେ ଶପଥପାଠ କରିଥିଲେ। ଉପସଭାପତି ଆଶିଷ ଅଗ୍ରୱାଲ ପରିଚାଳନା କରିଥିଲେ।