Categories: Home Leftଖେଳ

ବିଶ୍ୱ ମିଲିଟାରୀ ଗେମ୍ସ: ଗୁଣସେକରନଙ୍କୁ ୩ ସ୍ବର୍ଣ୍ଣ

ଉହାନ(ଚାଇନା),୨୪।୧୦(ପି.ଟି.)- ଏଠାରେ ଚାଲିଥିବା ୭ମ ସିଆଇଏସ୍‌ଏମ୍‌ ବିଶ୍ୱ ମିଲିଟାରୀ କ୍ରୀଡ଼ାରେ ପାରାଆଥ୍‌ଲେଟ୍‌ ଆନନ୍ଦନ ଗୁଣସେକରାନ ୩ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଜାଭେଲିନ ଜାଭେଲିନ ଥ୍ରୋୟର ଶିବପାଲ ସିଂ ମଧ୍ୟ ପୋଡିୟମର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ପୁରୁଷ ଭିନ୍ନକ୍ଷମ ୧୦୦ ମିଟର ଓ ୪୦୦ ମି. ଆଇଟି ଓ୍ବାନ୍‌ ଇଭେଣ୍ଟରେ ଶୀର୍ଷ ସଫଳତା ପାଇଥିବା ଗୁଣସେକରନ ୨୦୦ ମି. ଆଇଟି ଓ୍ବାନ୍‌ ଦୌଡ଼ ଇଭେଣ୍ଟରେ ମଧ୍ୟ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ଦୌଡ଼କୁ ସେ ୨୪.୩୧ ସେକେଣ୍ଡର ଶେଷ କରିଥିଲେ। କଲମ୍ବିଆର ଫାଜର୍ଡୋ ପାର୍ଡୋ ଟେଡିସେଲୋ (୨୬.୧୧ ସେ.) ଓ ପେରୁର କାସା ଜୋସେ (୨୭.୩୩ ସେ.) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। ୨୪ ବର୍ଷୀୟ ଶିବପାଲ ଜାଭେଲିନ ଥ୍ରୋ ଇଭେଣ୍ଟରେ ସର୍ବାଧିକ ୮୩.୩୩ ମିଟର ଦୂରତା ହାସଲ କରି ଦେଶର ସ୍ବର୍ଣ୍ଣ ପଦକ ସଂଖ୍ୟାକୁ ବୃଦ୍ଧି କରିଛନ୍ତି। ପୋଲାଣ୍ଡର କରୁକୋଓ୍ବସ୍କି ମାର୍ସିନ ରୌପ୍ୟ ଓ ଶ୍ରୀଲଙ୍କାର ରାନାସିଂଘେ ବ୍ରୋଞ୍ଜ ପଦକ ପାଇଛନ୍ତି। ପୂର୍ବରୁ ଶିବପାଲ ଦୋହାଠାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାତେଇଥିଲେ। ୨୫ ମି. ଫାୟର ପିସ୍ତଲ ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ଗୁରପ୍ରିତ ସିଂ ମୋଟ ୫୮୫ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ୟୁକ୍ରେନର କୋରୋଷ୍ଟାଇଲଭ ପାଭଲୋ ଜିତିଛନ୍ତି। ଅନୀଶ କୁମାର ସୁରେନ୍ଦ୍ରନ ପିଲାଇ ଓ ବୀରେନ୍ଦର ପୁରୁଷ ଭିନ୍ନକ୍ଷମ ଶଟ ପୁଟ୍‌ରେ ସ୍ବର୍ଣ୍ଣ ପାଇଛନ୍ତି। ଚଳିତ ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ ୬ ସ୍ବର୍ଣ୍ଣ ସମେତ ମୋଟ ୭ ପଦକ ଜିତିଛି। ଏଥିରେ ଗୋଟିଏ ବ୍ରୋଞ୍ଜ ପଦକ ରହିଛି। ଚାଇନାରେ ଚାଲିଥିବା ବିଶ୍ୱ ମିଲିଟାରୀ କ୍ରୀଡ଼ାରେ ୧୪୦ ଦେଶର ୧୦ ହଜାର ଆଥ୍‌ଲେଟ ୨୭ କ୍ରୀଡ଼ାରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।