India win during day four of the third test match between India and South Africa held at the JSCA International Stadium Complex, Ranchi India on the 22nd October 2019 Photo by Deepak Malik / SPORTZPICS for BCCI
ଦୁବାଇ, ୨୨।୧୦ (ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଅନୁଷ୍ଠିତ ୩ୟ ଟେଷ୍ଟ ମ୍ୟାଚ୍କୁ ଇନିଂସ ଓ ୨୦୨ ରନର ବୃହତ୍ ବ୍ୟବଧାନରେ ଜିତିନେଇଛି। ଏଥିସହ ଭାରତ ସିରିଜକୁ ୩-୦ରେ କ୍ଲିନ୍ସୁଇପ୍ କରିଛି। ଫଳରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ନୂଆ କରି ଆରମ୍ଭ ହୋଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲରେ ଭାରତୀୟ ଦଳ ଏହାର ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛି। ପ୍ରତ୍ୟେକ ମ୍ୟାଚ୍ ଜିତି ୪୦ ପଏଣ୍ଟ ହିସାବରେ ଭାରତ ଏହି ସିରିଜରୁ ମୋଟ୍ ୧୨୦ ପଏଣ୍ଟ ଅର୍ଜନ କରିଛି। ବିରାଟ ବାହିନୀ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟକୁ ୨-୦ରେ ମଧ୍ୟ କ୍ଲିନ ସୁଇପ୍ କରି ୧୨୦ ପଏଣ୍ଟ ଅର୍ଜନ କରିଥିଲା। ଫଳରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ଭାରତ ମୋଟ୍ ୫ ମ୍ୟାଚ୍ରୁ ୫ ବିଜୟ ସହ ୨୪୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନକୁ ଦୃଢ଼ୀଭୂତ କରିଛି। ନ୍ୟୁଜିଲାଣ୍ଡ (୬୦), ଶ୍ରୀଲଙ୍କା (୬୦), ଅଷ୍ଟ୍ରେଲିଆ (୫୬) ଓ ଇଂଲଣ୍ଡ (୫୬) ଯଥାକ୍ରମେ ୨ୟରୁ ୫ମ ସ୍ଥାନରେ ରହିଛନ୍ତି। ‘ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ୨ ମ୍ୟାଚ୍ବିଶିଷ୍ଟ ସିରିଜର ପ୍ରତ୍ୟେକ ମ୍ୟାଚ୍ ଲାଗି ୬୦ ପଏଣ୍ଟ, ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ମ୍ୟାଚ୍ ପିଛା ୪୦ ପଏଣ୍ଟ ଏବଂ ୫ ମ୍ୟାଚ୍ ସିରିଜରେ ୨୪ ପଏଣ୍ଟ ବ୍ୟବସ୍ଥା ରହିଛି’ ବୋଲି ଆଇସିସି ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହି ପଏଣ୍ଟ ବ୍ୟବସ୍ଥା ଅନୁଯାୟୀ ଭାରତ ୨୪୦ ପଏଣ୍ଟ ହାସଲ କରିଛି। ଆଗାମୀ ଦିନରେ ବାଂଲାଦେଶ ବିପକ୍ଷରେ ଭାରତ ୨ ମ୍ୟାଚ୍ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ନଭେମ୍ବର ୧୪ରୁ ଏହା ଆରମ୍ଭ ହେବ। ଉଲ୍ଲେଖ୍ୟଯୋଗ୍ୟ, ୨୦୨୧ ଜୁନ ସୁଦ୍ଧା ୯ ଦଳୀୟ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପଏଣ୍ଟ ଟେବୁଲର ଶୀର୍ଷ ଦୁଇ ସ୍ଥାନରେ ରହିଥିବା ଦଳ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ।