Athletics - World Athletics Championships - Doha 2019 - Men's 20 Kilometres Race Walk - Doha, Qatar - October 5, 2019 Japan's Toshikazu Yamanishi crosses the line to win gold REUTERS/Ibraheem Al Omari
ଦୋହା,୫।୧୦ (ଏଏଫ୍ପି)- ଏଠାରେ ଚାଲିଥିବା ବିଶ୍ୱ ଆଥ୍ଲେଟିକ ଚାମ୍ପିୟନଶିପ୍ର ପୁରୁଷ ୨୦ କିଲୋମିଟର (କିମି) ଚାଲିରେ ଜାପାନର ଜୋଶିକାଜୁ ୟାମାନିଶି ଟାଇଟଲ୍ ଜିତିଛନ୍ତି। ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ଇଭେଣ୍ଟରେ ୨୩ ବର୍ଷୀୟ ଜୋଶିକାଜୁ ୨୦ କିମି ଦୂରତାକୁ ଏକ ଘଣ୍ଟା ୨୬ ମିନିଟ୍ ୩୪ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଏଥିସହ ପ୍ରତିଯୋଗିତାର ପୁରୁଷ ଚାଲିରେ ଜାପାନ ଟାଇଟଲ୍ ସୁଇପ୍ କରିବାର ସୌଭାଗ୍ୟ ଲାଭ କରିଛି। ଗତ ରବିବାର ଅନୁଷ୍ଠିତ ୫୦ କିମିରେ ଅନ୍ୟତମ ଜାପାନ ଧାବକ ୟୁସୁକେ ସୁଜୁକି (୪ ଘଣ୍ଟା ୪ ମିନିଟ୍ ୨୦ ସେକେଣ୍ଡ) ସ୍ବର୍ଣ୍ଣ ପଦକ ଜିତିଥିଲେ। ଫଳରେ ୨୬ ବର୍ଷ ପରେ ଜାପାନ ପ୍ରଥମ ଦେଶ ଭାବେ ବିଶ୍ୱ ଚାମ୍ପିୟନଶିପ୍ର ଚାଲିରେ ଟାଇଟଲ୍ ସୁଇପ୍ କରିବାର ରେକର୍ଡ କରିଛି। ଶେଷଥର ପାଇଁ ୧୯୯୩ ସ୍ପେନ ଏହି କୃତିତ୍ୱ ଲାଭ କରିଥିଲା। ଅପରପକ୍ଷରେ ୨୦ କିମି ଚାଲିରେ ନିରପେକ୍ଷ ଆଥ୍ଲେଟ୍ ଭାସିଲ ମିଜିନୋଭ (୧:୨୬:୪୯) ଓ ସ୍ବିଡେନର ପ୍ରେସିଅସ କାର୍ଲଷ୍ଟ୍ରୋମ (୧:୨୭:୦୦) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ଡୋପ୍ ମାମଲାରେ ଆଥ୍ଲେଟ୍ର ସର୍ବୋଚ୍ଚ ସଂସ୍ଥା ରୁଷିଆକୁ ବ୍ୟାନ କରିଥିବାରୁ ଭାସିଲ ନିରପେକ୍ଷ ଆଥ୍ଲେଟ ଭାବେ ଅଂଶଗ୍ରହଣ କରିଛନ୍ତି। ଭାରତର ଜାତୀୟ ରେକର୍ଡଧାରୀ କେ.ଟି. ଇର୍ଫାନ (୧:୩୫:୨୧) ୨୭ତମ ଓ ଦେବେନ୍ଦର ସିଂ (୧:୪୧:୪୮) ୩୬ତମ ସ୍ଥାନ ହାସଲ କରିଥିଲେ।