Cricket - ICC Cricket World Cup Semi Final - Australia v England - Edgbaston, Birmingham, Britain - July 11, 2019 England's Jason Roy speaks with umpire Handunnettige Dharmasena and Marais Erasmus Action Images via Reuters/Andrew Boyers
ଲଣ୍ଡନ,୧୨।୭(ପି.ଟି.)- ରବିବାର ଆଇକନିକ୍ ଲଡର୍ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଲାଗି ଶ୍ରୀଲଙ୍କା ଅମ୍ପାୟର କୁମାର ଧର୍ମସେନା ଓ ଦକ୍ଷିଣ ଆଫ୍ରିକାର ମାରିଆସ ଇରାସମୁସଙ୍କୁ ଅନ୍ଫିଲ୍ଡ ଅମ୍ପାୟର ଭାବେ ନିଯୁକ୍ତ କରାଯାଇଛି। ଅଷ୍ଟ୍ରେଲିଆର ରଡ୍ ଟକର ୩ୟ ଅମ୍ପାୟର ଓ ପାକିସ୍ତାନର ଅଲିମ ଦାର ଚତୁର୍ଥ ଅଫିସିଆଲ ଭାବେ କାର୍ଯ୍ୟ କରିବେ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଶ୍ରୀଲଙ୍କାର ରଞ୍ଜନ ମଦୁଗଲେ ମ୍ୟାଚ୍ ରେଫରି ଦାୟିତ୍ୱ ତୁଲାଇବେ। ଉପରୋକ୍ତ ଅଫିସିଆଲମାନେ ବିଶ୍ୱକପ୍ର ଦୁଇ ସେମିଫାଇନାଲର ବିଭିନ୍ନ ପରିଚାଳନା ଦାୟିତ୍ୱରେ ଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ଇଂଲିଶ ଓପନର ଜାସନ ରୟ ଅମ୍ପାୟର ଧର୍ମସେନାଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ଶତକ ହାତଛଡ଼ା କରିଥିଲେ। ଆଉଟ୍ ହେବା ପୂର୍ବରୁ ସେ ୬୫ ବଲରୁ ୮୫ ରନ୍ କରିଥିଲେ। ଇଂଲଣ୍ଡ ୨୨୪ ରନ୍ର ବିଜୟଲକ୍ଷ୍ୟର ପିଛା କରୁଥିବାବେଳେ ଇନିଂସର ୨୦ତମ ଓଭରରେ ପାଟ୍ କୁମିନ୍ସଙ୍କ ବଲରେ ରୟ ଉଇକେଟକିପର ଆଲେକ୍ସ କାରିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିବା ଅପିଲ ହୋଇଥିଲା। ଧର୍ମସେନା ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ପରେ ଅଷ୍ଟ୍ରେଲିଆନ ଖେଳାଳିଙ୍କ କ୍ରମାଗତ ଅପିଲ ଯୋଗୁ ରୟଙ୍କୁ ଆଉଟ୍ ଦେଇଥିଲେ। ବ୍ୟାଟ୍ଠାରୁ ବଲ ବହୁ ଦୂରରେ ଥିବାରୁ ରୟ ଆପତ୍ତି ଉଠାଇବା ସହ କିଛି ସମୟ ଯୁକ୍ତିତର୍କ କରିଥିଲେ। ଏଥିଯୋଗୁ ତାଙ୍କ ମ୍ୟାଚ୍ ଫି’ର ୩୦ ପ୍ରତିଶତ କାଟ୍ କରାଯାଇଛି।