Categories: Home Leftଖେଳ

ବିଶ୍ୱକପ୍‌ରେ ଶ୍ରୀଲଙ୍କାର ନୂଆ ଅଧିନାୟକ

ଗୁଆହାଟୀ,୨୧ା୫(ପି.ଟି.)- ଦଳର ନେତୃତ୍ୱ ଭାର ବିଫଳତାଠାରୁ ଆରମ୍ଭ କରି ପ୍ରଶାସନିକ ବିବାଦ ଯୋଗୁ ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ଦଳକୁ ବିଶ୍ୱକପ୍‌ରେ କେବଳ ଚମତ୍କାର ହିଁ ବଞ୍ଚାଇପାରିବ। ଡାର୍କ ହର୍ସ ଭାବେ ବିବେଚିତ ହେଉଥିବା ଦଳ ସର୍ବଦା ବିଶ୍ୱ ସ୍ତରୀୟ ଇଭେଣ୍ଟରେ ଭଲ ପ୍ରଦର୍ଶନ କରିଛି। ଥରେ ବିଶ୍ୱକପ୍‌ ଟାଇଟଲ, ଦୁଇ ଥର ରନର୍ସ ଅପ୍‌ ଓ ଥରେ ସେମିଫାଇନାଲ ଖେଳିସାରିଛି। ହେଲେ ଏଥର ବିଶ୍ୱକପ୍‌ରେ ସବୁଠୁ ଦୁର୍ବଳ ଦଳ ଭାବେ ଅଂଶଗ୍ରହଣ କରିବାକୁ ଯାଉଛି। ଚୟନକର୍ତ୍ତାମାନେ ବିଶ୍ୱକପ୍‌ ଦଳରୁ ଅଭିଜ୍ଞ ଦୀନେଶ ଚଣ୍ଡିମାଲ ଓ ନିରୋଶାନ ଡିକଓ୍ବେଲାଙ୍କୁ ବାଦ୍‌ ଦେଇଛନ୍ତି। ୨୦୧୫ରେ ଅନ୍ତିମ ଥର ଅନ୍ତର୍ଜାତୀୟ ଦିନିକଆ ଖେଳିଥିବା ଦିମୁଥ କରୁଣାରତ୍ନେଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି। ଚଣ୍ଡିମାଲ ଓ ଡିକଓ୍ବେଲା ଭିନ୍ନ ଭିନ୍ନ ଫର୍ମାଟରେ ଚଳିତ ବର୍ଷ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଉଥିଲେ। ଉଭୟ ବିଫଳ ହେବା ପରେ ଲସିଥ ମାଲିଙ୍ଗାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଫଳାଫଳରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ମାତ୍ର ୨ ବର୍ଷରେ ଶ୍ରୀଲଙ୍କା ୯ ଜଣ ଅଧିନାୟକ ଦେଖିସାରିଛି। ଏଥିଯୋଗୁ ୨୦୧୫ ବିଶ୍ୱକପ୍‌ଠାରୁ ମୋଟ ୮୪ ଦିନିକିଆ ଖେଳି ୫୫ ମ୍ୟାଚ୍‌ରେ ପରାସ୍ତ ହୋଇସାରିଛି। ତେବେ କରୁଣାରତ୍ନେଙ୍କ ନେତୃତ୍ୱାଧୀନ ଦଳ ଜୁନ ୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରୁ ଅଭିଯାନ ଆରମ୍ଭ କରିବ।
ଶ୍ରୀଲଙ୍କା ଦଳ: ଦିମୁଥ କରୁଣାରତ୍ନେ (ଅଧିନାୟକ), ଆଞ୍ଜେଲୋ ମାଥ୍ୟୁସ, ଲସିଥ ମାଲିଙ୍ଗା, ଥିସାରା ପେରେରା, କୁସାଲ ପେରେରା, ଧନଞ୍ଜୟ ଡି ସିଲଭା, କୁସାଲ ମେଣ୍ଡିସ, ଇସୁରୁ ଉଡାନା, ମିଲିନ୍ଦା ସିରିଓ୍ବର୍ଦ୍ଦନା, ଅଭିଷେକ ଫର୍ନାଣ୍ଡୋ, ଜୀବନ ମେଣ୍ଡିସ, ଲାହିରୁ ଥିରିମାନେ, ଜେଫରି ଭାଣ୍ଡେରସେ, ନୂଆନ ପ୍ରଦୀପ ଓ ସୁରଙ୍ଗା ଲକମଲ।