JOHANNESBURG, SOUTH AFRICA - SEPTEMBER 27: Dale Steyn of the Proteas during the South African national cricket team training session at St Stithians College on September 27, 2016 in Johannesburg, South Africa. (Photo by Sydney Seshibedi/Gallo Images)
ସାଉଥାମ୍ପଟନ୍, ୪।୬(ପି.ଟି.)- ଆଇସିସି ବିଶ୍ୱକପ୍ରେ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳକୁ ମଙ୍ଗଳବାର ଶକ୍ତ ଧକ୍କା ଲାଗିଛି। ଦଳର ପ୍ରମୁଖ ତଥା ଅଭିଜ୍ଞ ଦ୍ରୁତ ବୋଲର ଡେଲ୍ ଷ୍ଟେଇନ୍ ଆଘାତଜନିତ ସମସ୍ୟା ଲାଗି ପୂରା ବିଶ୍ୱକପ୍ରୁ ବାଦ୍ ପଡ଼ିଛନ୍ତି। ପୂର୍ବରୁ କହୁଣିରେ ଆଘାତ ଲାଗିଥିବାରୁ ଷ୍ଟେଇନ ଦକ୍ଷିଣ ଆଫ୍ରିକାର ପ୍ରଥମ ଦୁଇ ବିଶ୍ୱକପ ମ୍ୟାଚ ଖେଳି ପାରି ନ ଥିଲେ। ଭାରତ ବିପକ୍ଷରେ ବୁଧବାର ଖେଳାଯିବାକୁ ଥିବା ମ୍ୟାଚ୍ ବେଳକୁ ସେ ସୁସ୍ଥ ହୋଇଯାଇଥିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ଆଶା ରଖିଥିଲା। କିନ୍ତୁ ସେ ସୁସ୍ଥ ହୋଇପାରି ନାହାନ୍ତି। ଫଳରେ ତାଙ୍କ ବଦଳ ଖେଳାଳି ଭାବେ ବାମହାତୀ ଦ୍ରୁତ ବୋଲର ବେଉରାନ ହେଣ୍ଡ୍ରିକ୍ସଙ୍କୁ ବିଶ୍ୱକପ୍ର ବଳକା ମ୍ୟାଚ୍ ଲାଗି ଦକ୍ଷିଣ ଆଫ୍ରିକା ଦଳରେ ସାମିଲ କରାଯାଇଛି। ‘ଆଇସିସି ପୁରୁଷ ବିଶ୍ୱକପ୍ର ଇଭେଣ୍ଟ ଟେକ୍ନିକାଲ କମିଟି ଷ୍ଟେଇନ୍ଙ୍କ ବଦଳ ଖେଳାଳିଭାବେ ହେଣ୍ଡ୍ରିକ୍ସଙ୍କୁ ଦଳରେ ସାମିଲ କରିବାକୁ ଅନୁମତି ଦେଇଛି ବୋଲି ଦକ୍ଷିଣ ଆଫ୍ରିକା ପକ୍ଷରୁ ଏକ ମିଡିଆ ରିଲିଜରେ କୁହାଯାଇଛି। ୩୫ ବର୍ଷୀୟ ଷ୍ଟେଇନ ଆଇପିଏଲ୍ର ଗତ ସଂସ୍କରଣରେ ଖେଳୁଥିବାବେଳେ କହୁଣିରେ ଆଘାତ ପାଇଥିଲେ। ସେ ବାଙ୍ଗାଲୋର ପାଇଁ କେବଳ ୨ଟି ମ୍ୟାଚ୍ ଖେଳିପାରିଥିଲେ। ଆଘାତ ସତ୍ତ୍ୱେ ତାଙ୍କୁ ଦକ୍ଷିଣ ଆଫ୍ରିକା ବିଶ୍ୱକପ୍ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ସେ ସୁସ୍ଥ ନ ହେବାରୁ ତାଙ୍କୁ ଶେଷରେ ଦଳରୁ ବାଦ୍ ଦିଆଯାଇଛି। ଫଳରେ ଏହି ମହାନ ବୋଲରଙ୍କ ଅବସର ନେଇ ଏବେ ଆଲୋଚନା ହେଉଛି।