Categories: ମେଟ୍ରୋ

ବିଶ୍ବ ସେବିକା ଦିବସ: ୨୯ବର୍ଷ ଧରି ଗରିବଙ୍କ ସେବାରେ ଉଷାରାଣୀ

ଗୋପ,୧୨ା୫(ଡି.ଏନ.ଏ): ମହାମାରୀ କରୋନା ଭଳି ବିପତ୍ତି ସମୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କରୋନା ଯୋଦ୍ଧା ବୋଲି ସରକାର ଘୋଷିତ କରିଛନ୍ତି। ଏଭଳି ସମୟରେ ଏହି ସ୍ବାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ରୁହନ୍ତି। ଏଭଳି ଜଣେ ସ୍ବାସ୍ଥ୍ୟକର୍ମୀ ଦୀର୍ଘ ୨୯ବର୍ଷ ହେବ ଗରିବଙ୍କ ସେବା କରି ଆସୁଥିବାବେଳେ ଲକଡାଉନ ସମୟରେ ମଧ୍ୟ ଲୋକଙ୍କ ସେବାକୁ ପ୍ରଥମ ଗୁରୁତ୍ୱ ଦେଇଛନ୍ତି। ସେ ହେଲେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କୋଣାର୍କ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ କୋଣାର୍କର ଉଷାରାଣୀ ମହାନ୍ତି। ସେ ଗରିବ ଲୋକଙ୍କ ଲାଗି ଉଷା ଦିଦି ସେବିକା ଭାବେ ଖୁବ ପରିଚିତ। ମଙ୍ଗଳବାର ବିଶ୍ୱ ସେବିକା ଦିବସ ହୋଇଥିବାରୁ ତାଙ୍କ କାର୍ଯ୍ୟକୁ ଦେଖି ଲୋକେ ପ୍ରଶଂସା ସହ କୃତଜ୍ଞତା ଜଣାଇଛନ୍ତି। ସକାଳଠାରୁ ରାତି ପର୍ଯ୍ୟନ୍ତ ସମସ୍ତେ ପ୍ରତିିଟି ରୋଗ କ୍ଷେତ୍ରରେ ଉଷାଦିଦିଙ୍କୁ ଖୋଜିଥାନ୍ତି।ଗରିବଙ୍କ ପ୍ରତି ପ୍ରଥମ ପ୍ରାଥମିକତା ଦେଉଥିବାରୁ ସେ ଯଦି କୌଣସି କାର୍ଯ୍ୟରେ ବାହାରକୁ ଯାଇଥାନ୍ତି, ତାଙ୍କ ଫେରିବା ବାଟକୁ ଲୋକେ ଚାହିଁ ରହିଥାନ୍ତି। ସେହିପରି ଦିଦି ରୋଗୀମାନଙ୍କ ଘରେ ପହଞ୍ଚି ରୋଗୀର ସମସ୍ୟା ବୁଝିବା ସହ ଔଷଧ, ଇଞ୍ଜେକ୍ସନ ଦେଇଥାନ୍ତି। ଉଷାରାଣୀ ପାଠପଢ଼ା ସମୟରେ ଜଣେ ଶିକ୍ଷକଙ୍କ ସେବା କରିବାର ଦେଖି ସେବେଠାରୁ ସାଧାରଣ ଲୋକଙ୍କ ସେବା କରିବାର ସ୍ବପ୍ନ ଦେଖିଥିଲେ। ବିଏ ପାସ କରିବା ପରେ ସ୍ବାସ୍ଥ୍ୟ ବିଭାଗରେ ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ ଚାକିରି କରିଥିଲେ। ପ୍ରଥମେ ୧୯୯୧ ଫେବୃୟାରୀ ୫ ରେ ଗଞ୍ଜାମ ଜିଲାର ହୁମା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଚାକିରି ଆରମ୍ଭ କରିବା ପରେ ଦୀର୍ଘ ୨୯ବର୍ଷ ଧରି ଆଉ ପଛକୁ ଫେରି ଚାହିଁ ନାହାନ୍ତି।