Categories: Home Leftଖେଳ

ବିଶାଖାପାଟଣା ଗ୍ରାଉଣ୍ଡରେ ପ୍ରଥମ ଦିନିକିଆରେ ଦେଖିବାକୁ ମିଳିଥିଲା ଧୋନୀଙ୍କ ଶୋ

ବିଶାଖାପାଟଣା,୧୮।୧୨- ସ୍ଥାନୀୟ ଡି. ଓ୍ବାଇ. ଏସ୍‌. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ୍‌ର ଦ୍ୱିତୀୟ ଦିନିକିଆ ଖେଳାଯିବ। ଏହି ଗ୍ରାଉଣ୍ଡରେ ଗତ ୧୪ ବର୍ଷ ହେଲା ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇ ଆସୁଛି। ୨୦୦୫ ଏପ୍ରିଲ ୫ ତାରିଖରେ ଏଠାରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌। ସେଥର ପାକିସ୍ତାନ ବିପକ୍ଷରେ ଭାରତୀୟ ଦଳ ଦିନିକିଆ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। କ୍ୟାରିୟରର ପ୍ରଥମ ୨ ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଧୋନୀଙ୍କୁ ସେତେବେଳର ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରଥମ ଉଇକେଟ ପଡ଼ିବାରେ ବ୍ୟାଟିଂ ପାଇଁ ପଠାଇଥିଲେ। ଆଉ ଧୋନୀ ଆରମ୍ଭରୁ ଲମ୍ବା ଛକା ଲଗାଇଥିଲେ। ସେ ୧୨୩ ବଲରୁ ୧୪୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏଥିରେ ଥିଲା ୧୫ ଚୌକା ଓ ୪ ଛକା। ଏହି ଶତକ ପରେ ଧୋନୀ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଉକ୍ତ ମ୍ୟାଚ୍‌କୁ ଭାରତୀୟ ଦଳ ୫୮ ରନ୍‌ରେ ଜିତି ନେଇଥିଲା। ଭାରତ ୩୫୬ ରନ୍‌ କରିଥିବାବେଳେ ପାକିସ୍ତାନ ୨୯୮ରେ ସୀମିତ ରହିଥିଲା।

Share