Cuttack: Indian skipper Virat Kohli during a training session on the eve of 3rd and final ODI match against West Indies at Barabati Stadium in Cuttack, Saturday, Dec. 21, 2019. (PTI Photo/Swapan Mahapatra)(PTI12_21_2019_000130B)
କଟକ, ୨୨।୧୨(କ୍ରୀଡ଼ା ପ୍ରତିନିଧି)- ଅନ୍ତର୍ଜାତୀୟ କ୍ରିକେଟରେ ଏବେ ବିରାଟ କୋହଲି ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଖେଳାଳିଭାବେ ଉଭା ହୋଇଛନ୍ତି। ଖେଳାଳିଭାବେ ହୁଅନ୍ତୁ କି ଅଧିନାୟକ ବିରାଟ ଏବେ ଅନେକ ରେକର୍ଡର ଅଧିକାରୀ। ଦିନିକିଆ କ୍ରିକେଟରେ ଦ୍ରୁତ ୧୦୦୦୦ ରନ ରେକର୍ଡର ଅଧିକାରୀ କୋହଲିଙ୍କର ବାରବାଟୀ ଷ୍ଟାଡିୟମରେ କିନ୍ତୁ ରେକର୍ଡ ଭଲ ନାହିଁ। ଏଠାରେ ସେ ଏକଦିବସୀୟ ଓ ଟି୨୦କୁ ମିଶାଇ ୪ଟି ମ୍ୟାଚ ଖେଳିଥିଲେ ହେଁ ମାତ୍ର ୩୪ ରନ କରିବାକୁ ସକ୍ଷମ ହୋଇଛନ୍ତି। ତିନୋଟି ଦିନିକିଆରେ ସେ ଯଥାକ୍ରମେ ୩, ୨୨ ଓ ୧ ରନ କରିଥିବାବେଳେ ଗୋଟିଏ ଟି୨୦ରେ ୮ ରନ କରିବାକୁ ସକ୍ଷମ ହୋଇଛନ୍ତି। ଭାରତର କୌଣସି ଭେନ୍ୟୁ(ଅତିକମ୍ରେ ୩ଟି ମ୍ୟାଚ ଖେଳିଥିବା)ରେ ବିରାଟଙ୍କର ଏହା ସବୁଠାରୁ ଖରାପ ରେକର୍ଡ। ବାରବାଟୀରେ ନିଜ ନାମରେ ଥିବା ଏହି ଅଲୋଡ଼ା ରେକର୍ଡ଼କୁ ଭାଙ୍ଗିବାକୁ ନିଶ୍ଚିତ ଉଦ୍ୟମ କରିବେ ବିରାଟ। ଏଥିପାଇଁ ଶନିବାର ନେଟ୍ସରେ ବେଶ୍ କିଛି ସମୟ ତାଙ୍କୁ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ଚଳିତ ସିରିଜର ୨ଟି ମ୍ୟାଚରେ ସେ ଯଥାକ୍ରମେ ୪ ଓ ୦ରେ ଆଉଟ ହୋଇଥିବାରୁ ସିରିଜ ନିର୍ଣ୍ଣାୟକ ମ୍ୟାଚରେ ତାଙ୍କଠାରୁ କ୍ରିକେଟପ୍ରେମୀ ଏକ ବଡ଼ ସ୍କୋର ଆଶା କରୁଛନ୍ତି। ୨୦୧୭ରେ ଏଠାରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚରେ ସେ ଦଳର ନେତୃତ୍ୱ ନେଇଥିଲେ। ତେଣୁ ଏଠାରେ ଖେଳିବା ଏବଂ ଅଧିନାୟକ ଦାୟିତ୍ୱ ତୁଲାଇବାରେ ତାଙ୍କର ଅଭିଜ୍ଞତା ରହିଛି।