ବିଭିନ୍ନ ବିଭାଗରୁ ହଜାରେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୨୬।୧୧: ଉତ୍ତର ପ୍ରଦେଶରେ ଅଯୋଗ୍ୟ ଓ ଭ୍ରଷ୍ଟାଚାର ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିଭିନ୍ନ ବିଭାଗରୁ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ଅଧିକାରୀଙ୍କୁ ଯୋଗୀ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିବା ସୂଚନା ମିଳିଛି। ପରିବହନ ବିଭାଗର ବିଭିନ୍ନ କ୍ୟାଡରରେ ୩୭, ରାଜସ୍ବ ବିଭାଗରେ ୩୬, ବୈଷୟିକ ବିଭାଗରେ ୨୬ ଓ ଅନ୍ୟ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଣାପଡ଼ିଛି। ଭ୍ରଷ୍ଟାଚାର ପ୍ରତି ଜିରୋ ଟୋଲେରାନ୍ସ ନୀତି ଆପଣାଇ ମୁଖ୍ୟମନ୍ତ୍ରୀ ଚଳିତ ଥର ଆଇଏଏସ୍‌ ଅଧିକାରୀ ରାଜୀବ କୁମାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନୋଟିସ୍‌ ଦେଇଛନ୍ତି। ଏଥିସହ ଏହି ଘଟଣା ବାବଦରେ କେନ୍ଦ୍ରକୁ ମଧ୍ୟ ସୂଚନା ଦିଆଯାଇଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ୧୯୮୩ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ରାଜୀବ କୁମାରଙ୍କ ବିରୋଧରେ ନୋଏଡାରେ ଭ୍ରଷ୍ଟାଚାର ଅଭିଯୋଗ ହୋଇଥିଲା। ଏହି ମାମଲାରେ ସେ କିଛି ଦିନ ଜେଲ୍‌ରେ ମଧ୍ୟ ରହିଥିବା ଜଣାପଡ଼ିଛି।