ନନ୍ଦପୁର,୨୪ା୪(ତୁଷାର କାନ୍ତ ମହାନ୍ତି)- ନନ୍ଦପୁର-ଲମତାପୁଟ ପୂର୍ତ୍ତବିଭାଗ ରାସ୍ତା କଡ଼ରୁ ବିନା ଅନୁମତିରେ ଗଛ କଟାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ବନମାଳୀପୁଟ ଗ୍ରାମର କେତେକ ବ୍ୟକ୍ତି ନିଜ ପଟା ଜମିରେ ଥିବା ଦର୍ଶାଇ ଗରୁଡ ଓ ଅନ୍ୟ ଗଛ ମାଫିଆଙ୍କୁ ବିକ୍ରି କରିଥିବା ଓ ଗଛଗୁଡ଼ିକ କାଟି ଗଦା କରାଯାଇଥିବା ନେଇ ନନ୍ଦପୁର ବନ ବିଭାଗକୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ। କିନ୍ତୁ ବନ ବିଭାଗ କର୍ମଚାରୀ ବିଳମ୍ବରେ ପହଞ୍ଚିବାରୁ କଟା ଯାଇଥିବା ଗଛ ମଧ୍ୟରୁ ଗୋଟିଏକୁ ଛାଡ଼ି ସମସ୍ତ କାଠକୁ କଟାଳି ଟ୍ରକ୍ରେ ନେଇଥିବା କେତେକ ଲୋକେ କହିଛନ୍ତି।
ନନ୍ଦପୁରରୁ ଗେରୁପୁଟ, ବନମାଳୀପୁଟ, ଦାସପୁଟ ଓ ହୀରାପୁଟ ରାସ୍ତା କଡ଼ରେ ଥିବା ଏକାଧିକ ମୂଲ୍ୟବାନ ଆକାସିଆ, ସିମିଳି, ଗରୁଡ ଓ ଛାୟା ଗଛଗୁଡ଼ିକୁ କାଠ ମାଫିଆ କାଟି ନେଉଥିବା ଅଭିଯୋଗ ହୋଇଛି। ରାସ୍ତାର ନବ ନିର୍ମାଣ ଓ ସମ୍ପ୍ରସାରଣ ଆଳରେ ଠିକା ସଂସ୍ଥା କିଛି ଗଛ କାଟିବାକୁ ଅନୁମତି ନେଇ ଶତାଧିକ କାଟିଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ରାଜସ୍ବ ନିରୀକ୍ଷକ ଓ ନନ୍ଦପୁର ବନପାଳ ଗୋପିନାଥ ପାଙ୍ଗୀଙ୍କୁ ପଚାରିବାରୁ ଗଛଗୁଡ଼ିକ ପଟା ଜମିରେ ଥିଲେ ମଧ୍ୟ କାଟିବାକୁ ବନ ବିଭାଗର ଅନୁମତି ଆବଶ୍ୟକ ରହିଛି। ଘଟଣାର ମିଳିତ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନପାଳ ପାଙ୍ଗୀ ସୂଚନା ଦେଇଛନ୍ତି।