ବିଧାୟକଙ୍କ ବୁଝାଇବା ପାଇଁ ମୁମ୍ବାଇରେ ପହଞ୍ଚିଲେ କଂଗ୍ରେସର ସଙ୍କଟମୋଚକ ଶିବକୁମାର

ବେଙ୍ଗାଲୁରୁ, ୧୦।୭: କର୍ନାଟକରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଥମିବାର ନାଁ ନେଉନି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଗୋଟିଏ ପରେ ଗୋଟିଏ ଝଟକା ସେମାନଙ୍କୁ ପୂରା ଦୋହଲାଇ ଦେଇଛି। ଫଳରେ ମୁମ୍ବାଇର ବିଳାସପୂର୍ଣ୍ଣ ହୋଟେଲରେ ଥିବା ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ପାଇଁ ବୁଧବାର ସକାଳେ ସେଠାରେ ପହଞ୍ଚିଛନ୍ତି କଂଗ୍ରେସର ସଙ୍କଟମୋଚକ କୁହାଯାଉଥିବା ଡିକେ ଶିବକୁମାର। କିନ୍ତୁ ପୋଲିସ ତାଙ୍କୁ ହୋଟେଲ ଭିତରକୁ ଯିବାକୁ ଅନୁମତି ଦେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଜଣଙ୍କ ପରେ ଜଣେ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ ଏବେ କର୍ନାଟକାରେ ଗଠନ ହୋଇଥିବା ମେଣ୍ଟ ସରକାର ଏକ ପ୍ରକାରର କୋମା ସ୍ଥିତିକୁ ଚାଲି ଯାଇଛି। କର୍ନାଟକାରେ କଂଗ୍ରେସ-ଜେଡିଏସ ମିଳିତ ଭାବେ ସରକାର ଗଠନ କରିବା ଦିନ ଠାରୁ ହିଁ ବିବାଦ ଲାଗି ରହିଛି। ଜେଡିଏସ କମ ଆସନ ପାଇଥିଲେ ହେଁ କଂଗ୍ରେସ ଏଚଡି କୁମାରସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ସେତେବେଳେ ଶିବକୁମାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମେଣ୍ଟ ଗଠନ କରି ଭାଜପା କବଳରୁ ବିଧାୟକଙ୍କୁ ସୁରକ୍ଷିତ ରଖିବାରେ ସେ ଥିଲେ ମୁଖ୍ୟ ନାୟକ।