Categories: ଅନୁଗୋଳ

ବିଜ୍ଞାପିତ ଅଞ୍ଚଳ ହେବ ପାଲଲହଡ଼ା: ମନ୍ତ୍ରୀ

ପାଲଲହଡ଼ା/ପବିତ୍ରନଗର, ୨୪ା୧୦(ଡି.ଏନ.ଏ.) – ରାଜ୍ୟ ପଞ୍ଚାୟତିରାଜ ତଥା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ପାଲଲହଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହ କେନ୍ଦ୍ରୀୟ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ମେଲଣ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ କହିଲେ, ଆଗାମୀ ପୌର ନିର୍ବାଚନ ପୂର୍ବରୁ ପାଲଲହଡ଼ା ଉପଖଣ୍ଡକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରାଯିବ। ଏହାସହ ସଦରମହକୁମାରେ ଏକ ଟାଉନ ହଲ ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଜେନା ଘୋଷଣା କରିଥିଲେ। ମନ୍ତ୍ରୀ ବ୍ଲକର ଖମାର ପଞ୍ଚାୟତର ନିମିରିବେଡାଠାରେ ନିର୍ମିତ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ବାଲିପଶି ପଞ୍ଚାୟତ ବାଲିପଶି ଗ୍ରାମରେ ନିର୍ମିତ ନୂତନ ପଞ୍ଚାୟତ ଦୋକାନ ଗୃହକୁ ଉଦ୍‌ଘାଟନ କରିଥିଲେ। ଶେଷରେ ପାଲଲହଡ଼ା ଷ୍ଟାଡିୟମଠାରେ ଏକ ମୁକ୍ତାକାଶ ବ୍ୟାୟାମ ଶାଳା ଏବଂ ୬ଟି ସରକାରୀ ବାସଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମନ୍ତ୍ରୀଙ୍କ ଉକ୍ତ ଘୋଷଣା ପରେ କେନ୍ଦ୍ରୀୟ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଧନ୍ୟବାଦ ଜଣାଯାଇଥିଲା। ସେହିପରି ମନ୍ତ୍ରୀ ଜେନା କଣିହାଁ ବ୍ଲକର ପବିତ୍ରନଗର ଗସ୍ତ କରି ପରାବିଲ ପଞ୍ଚାୟତ କାର୍ଯ୍ୟାଳୟଠାରେ ନବର୍ନିମିତ କଲ୍ୟାଣ ମଣ୍ଡପ, କର୍ଣ୍ଣପାଳ ପଞ୍ଚାୟତ ଶିପୁର ସ୍ଥିତ ନନ୍ଦକିଶୋର ହାଇସ୍କୁଲର ଅତିରିକ୍ତ ଶ୍ରେଣୀଗୃହ ଉଦ୍‌ଘାଟନ କରିଥିଲେ। ଏଥିସହ ସ୍କୁଲରେ ଶୌଚାଳୟ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କ ସହ ପାଲଲହଡ଼ା ବିଧାୟକ ମୁକେଶ ପାଳ, ଜିଲାପାଳ ମନୋଜ କୁମାର ମହାନ୍ତି, ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ ଚମ୍ପତିରାୟ, ବ୍ଲକ ଅଧ୍ୟକ୍ଷା ନମିତା ସାହୁ, ବିଡିଓ ରମେଶ ଜେନା, ସରପଞ୍ଚ ବଂଶୀଧର ସାହୁ, ସମିତି ସଭ୍ୟ ମନୋଜ ପ୍ରଧାନ, ବ୍ଲକ ବିଜେଡି ସଭାପତି କୈଳାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।