Categories: Home Leftଖେଳ

ବାର୍ଟି ତୃତୀୟ ରାଉଣ୍ଡରେ

ଲଣ୍ଡନ, ୪ା୭ (ଏଏଫ୍‌ପି)-୨୦୧୫ରେ ସେରେନା ଓ୍ବିଲିୟମ୍ସଙ୍କ ପରେ ଆଶଲେ ବାର୍ଟି ଦ୍ୱିତୀୟ ମହିଳା ଖେଳାଳି ହିସାବରେ ସମାନ ବର୍ଷ ଉଭୟ ଫ୍ରେଞ୍ଚ ଓପନ ଏବଂ ଓ୍ବିମ୍ବଲେଡନ ଟାଇଟଲ ଜିତିବା ସମ୍ଭାବନା ସୃଷ୍ଟି କରିଛନ୍ତି। ଗୁରୁବାର ଏଠାରେ ଚଳିତ ଓ୍ବିମ୍ବେଲଡନ ଓପନ ଟେନିସ୍‌ ପ୍ରତିଯୋଗିତାର ଏକ ମହିଳା ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ସେ ୬-୧, ୬-୩ ସେଟ୍‌ରେ ବେଲଜିୟମର ଆଲିସନ ଭାନ୍‌ ୟୁତ୍‌ଭାନକଙ୍କୁ ହରାଇ ଦେଇଛନ୍ତି। ବିଶ୍ୱର ନମ୍ବର ଓ୍ବାନ ତଥା ଅଷ୍ଟ୍ରେଲିଆର ଏହି ୨୩ ବର୍ଷୀୟ ଖେଳାଳି ପ୍ରି କ୍ୱାର୍ଟରରେ ବ୍ରିଟିଶ ଓ୍ବାଇଲ୍ଡ କାର୍ଡ ହାରିଏତ୍‌ ଡାର୍ଟଙ୍କୁ ଭେଟିବେ। ଚଳିତ ଟୁର୍ନାମେଣ୍ଟରେ ବ୍ରିଟେନର ପ୍ରଥମ ଦୁଇ ଖେଳାଳି ହାରିଏତ୍‌ ଡାର୍ଟ ଓ ଡାନ୍‌ ଇଭାନ୍ସ ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ୨୨ବର୍ଷୀୟା ଡାର୍ଟ ୭-୬ (୭-୪), ୩-୬, ୬-୧ ସେଟ୍‌ରେ ବ୍ରାଜିଲର ବିଟ୍ରିଜ ହାଦାଦ୍‌ ମାଇଆଙ୍କୁ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ଏକ ପୁରୁଷ ସିଙ୍ଗଲ୍ସରେ ଇଭାନ୍ସ ୧୮ତମ ସିଡ୍‌ ନିକୋଲୋଜ ବାସିଲାସଭିଲିଙ୍କୁ ୬-୩, ୬-୨, ୭-୬ (୭-୨) ସେଟ୍‌ରେ ହରାଇ ଦେଇଛନ୍ତି। କିନ୍ତୁ ବ୍ରିଟିଶ ନମ୍ବର ୨ ଖେଳାଳି କାମେରନ ନୋରି ୬-୪, ୬-୪, ୬-୦ ସେଟ୍‌ରେ କେଇ ନିଶିକୋରିଙ୍କଠାରୁ ହାରିଯାଇଛନ୍ତି।