London: United States' Alison Riske celebrates defeating Australia's Ashleigh Barty in a women's singles match during day seven of the Wimbledon Tennis Championships in London, Monday, July 8, 2019. AP/PTI(AP7_8_2019_000148B)
ଲଣ୍ଡନ,୯ା୭-ଆମେରିକାର ଷ୍ଟାର ଖେଳାଳି ସେରେନା ଓ୍ବିଲିୟମ୍ସ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ୭ଥର ଚାମ୍ପିୟନ ତଥା ୧୧ତମ ସିଡ୍ ସେରେନା ଏକ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ ମ୍ୟାଚରେ ସ୍ପେନର କାର୍ଲା ସୁଆରେଜ ନାଭାରୋଙ୍କୁ ୬-୨, ୬-୨ ସିଧାସଳଖ ସେଟ୍ରେ ହରାଇ ଦେଇଛନ୍ତି। କ୍ୱାର୍ଟର ଫାଇନାଲରେ ସେ ନିଜ ଦେଶର ଆଲିସନ ରିସ୍କେଙ୍କୁ ଭେଟିବେ। ବିଶ୍ୱର ୫୫ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଆଲିସନ ତାଙ୍କ ଚତୁର୍ଥ ରାଉଣ୍ଡ ମ୍ୟାଚରେ ବିଶ୍ୱର ନମ୍ବର ଓ୍ବାନ୍ ତଥା ଅଷ୍ଟ୍ରେଲିଆର ଆଶଲେ ବାର୍ଟିଙ୍କୁ ୩-୬, ୬-୨, ୬-୩ ସେଟ୍ରେ ହରାଇ ଦେଇଥିଲେ। ଏହି ମ୍ୟାଚ ୧ ଘଣ୍ଟା ୩୬ ମିନିଟ ଧରି ଚାଲିଥିଲା। ଆଲିସନ ପ୍ରଥମଥର ଏକ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ଫାଇନାଲ ଖେଳିବେ। ସୂଚନାଯୋଗ୍ୟ, ୨୩ ବର୍ଷୀୟ ବାର୍ଟି ଟୁର୍ନାମେଣ୍ଟରେ ଗୋଟିଏ ହେଲେ ସେଟ୍ ଡ୍ରପ୍ କରି ନ ଥିଲେ। ୟୁକ୍ରେନର ତଥା ୮ମ ସିଡ୍ ଏଲିନା ସ୍ବିତୋଲିନା ତାଙ୍କ ଚତୁର୍ଥ ରାଉଣ୍ଡ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ସେ ପେତ୍ରା ମାର୍ଟିକଙ୍କୁ ୬-୪, ୬-୪ ସେଟ୍ରେ ପରାସ୍ତ କରିଛନ୍ତି। ସେ କାରୋଲିନା ମୁଚୋଭା ଏବଂ କାରୋଲନା ପ୍ଲିସକୋଭାଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ବିଜେତାଙ୍କୁ ଭେଟିବେ।
ନାଡାଲ ବିଜୟୀ
ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ ରାଫଲ ନାଡାଲ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସୋମବାର ଏକ ପୁରୁଷ ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ ମ୍ୟାଚରେ ସେ ପର୍ତ୍ତୁଗାଲର ଜୋଆଓ ସୋସାଙ୍କୁ ୬-୨, ୬-୨, ୬-୨ ସେଟରେ ପରାସ୍ତ କରିଛନ୍ତି। ୧୮ଟି ଗ୍ରାଣ୍ଡସ୍ଲାମ ବିଜେତା କ୍ୱାର୍ଟରଫାଇନାଲରେ ଆମେରିକର ସାମ କ୍ୱେରି କିମ୍ବା ଟେନିସ ସ୍ୟାଣ୍ଡଗ୍ରେନ୍ଙ୍କୁ ଭେଟିବେ।
ଶରନ-ଡିମୋଲିନର ହାରିଲେ
ଭାରତର ଡିଭିଜ ଶରନ ଏବଂ ତାଙ୍କ ବ୍ରାଜିଲିଆନ ପାର୍ଟନର ମାର୍ସିଲୋ ଡିମୋଲିନର ଓ୍ବିମ୍ବେଲଡନ ଓପନ ଟେନିସ ପୁରୁଷ ଡବଲ୍ସ ପ୍ରି-କ୍ୱାର୍ଟରରୁ ବିଦାୟ ନେଇଛନ୍ତି। ସୋମବାର ସେମାନେ ଟପ୍ ସିଡ୍ ଲୁକାଜ କୁବଟ ଓ ମାର୍ସିଲୋ ମେଲୋଙ୍କଠାରୁ ୫-୭, ୭-୬ (୮), ୬-୭(୮), ୩-୬ ସେଟ୍ରେ ହାରିଯାଇଛନ୍ତି। ଏହି ମ୍ୟାଚ ୩ ଘଣ୍ଟା ୧୮ ମିନିଟ ଧରି ଚାଲିଥିଲା। ଓ୍ବିମ୍ବେଲଡନ ଚାମ୍ପିୟନଶିପ୍ରେ ଶରନ ଭାରତର ଶେଷ ଆଶା ଥିଲେ। ଏହି ଖେଳାଳି ଗତବର୍ଷ ଏଠାରେ କ୍ୱାର୍ଟରଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହୋଇ ପାରିଥିଲେ।