Bangladesh's Tamim Iqbal reacts after scoring a century (100 runs) during the second one day international (ODI) cricket match between Bangladesh and Zimbabwe in Sylhet International Cricket Stadium in Sylhet on March 3, 2020. (Photo by STR / AFP)
ସିଲ୍ହେଟ୍, ୪।୩- ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍ରେ ଘରୋଇ ବାଂଲାଦେଶ ୪ ରନରେ ରୋମାଞ୍ଚକ ଭାବେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ୍ରେ ୩୨୨ ରନ କରିଥିବାବେଳେ ଜିମ୍ବାଓ୍ବେ (୩୧୮/୮) ୪ ରନ ଦୂରରେ ରହିଯାଇଥିଲା। ବିଜୟ ସହ ଘରୋଇ ଦଳ ୩ ମ୍ୟାଚ୍ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍ଜା କରିନେଇଛି। ପୂର୍ବରୁ ପ୍ରଥମ ମ୍ୟାଚ୍କୁ ବାଂଲାଦେଶ ୧୬୯ ରନରେ ଜିତିଥିଲା। ସିରିଜର ଅନ୍ତିମ ମ୍ୟାଚ୍ ଶୁକ୍ରବାର ଖେଳାଯିବ।
ହାଇସ୍କୋରିଂ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଭେଟେରାନ ଓପନର୍ ତମିମ୍ ଇକବାଲଙ୍କ ୧୫୮ ରନ (୨୦ ଚୌକା, ୩ ଛକା) ବଳରେ ୫୦ ଓଭରରେ ୮ ଉଇକେଟ୍ ହରାଇ ୩୨୨ ରନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ମୁସଫିକର ରହିମ ୫୫, ମହମ୍ମଦୁଲା ୪୧ ରନ କରିଥିଲେ। ଜଣେ ବାଂଲାଦେଶ ବ୍ୟାଟ୍ସମ୍ୟାନ ଭାବେ ତମିମ ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ କରିଛନ୍ତି। ତମିମ ନିଜ ନାମରେ ରହିଥିବା ରେକର୍ଡକୁ ନିଜେ ଭଙ୍ଗ କରିଛନ୍ତି। ୨୦୦୯ରେ ସେ ଜିମ୍ବାଓ୍ବେ ବିପକ୍ଷରେ ୧୫୪ ରନ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇ ରହିଥିଲା। ସେହିଭଳି ଏହି ଇନିଂସ ଅବସରରେ ପ୍ରଥମ ବାଂଲାଦେଶ ବ୍ୟାଟ୍ସମ୍ୟାନ ଭାବେ ୭ ହଜାର ଦିନିକିଆ ରନ୍ ପୂରଣ କରିଛନ୍ତି। ଜିମ୍ବାଓ୍ବେ ପକ୍ଷରୁ କାର୍ଲ ମୁମ୍ବା ଓ ଡୋନାଲ୍ଡୋ ତିରିପାନୋ ୨ଟି ଲେଖାଏ ଉଇକେଟ୍ ନେଇଛନ୍ତି। ଜବାବରେ ଜିମ୍ବାଓ୍ବେ ମଧ୍ୟ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍ରେ ୩୧୮ ରନ କରିଥିଲା। ଅନ୍ତିମ ଓଭରରେ ୨୦ ରନ ଆବଶ୍ୟକ ହେଉଥିବାବେଳେ ଜିମ୍ବାଓ୍ବେ ୧୫ ରନ କରିପାରିଥିଲା। ଦଳ ପକ୍ଷରୁ ତିନାସି କାମୁନ୍ହୁକାମଓ୍ବି ୫୧, ଓ୍ବେସଲୀ ମାଧଭେରେ ୫୨, ସିକନ୍ଦର ରାଜା ୬୬, ତିରିପାନୋ ୫୫* ଓ ତିନୋତେନ୍ଦା ମୁତୁମ୍ବୋଜି ୩୪ ରନ କରିଥିଲେ। ବିଜୟୀ ଦଳର ତାଇଜୁଲ ଇସଲାମ ୩ଟି ଉଇକେଟ୍ ନେଇଥିଲେ।