ବଲବୀର ଦେଶର ଗର୍ବ, ଗୌରବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୫।୫(ପି.ଟି.): କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ସେ ଜଣେ ଉଚ୍ଚକୋଟୀର ଖେଳାଳି ହେବା ସଙ୍ଗେ ସଙ୍ଗେ ଜଣେ ସଫଳ କୋଚ୍‌ ଥିଲେ। କ୍ରମାଗତ ୩ଟି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିବା ଏହି ମହାନ୍‌ ସେଣ୍ଟର ଫରଓ୍ବାର୍ଡ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଥିଲେ ବୋଲି ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଶୋକ ସନ୍ତପ୍ତ ତାଙ୍କ ପରିବାର, ଶୁଭେଚ୍ଛୁମାନଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି। ହକିରେ ତାଙ୍କର ସ୍ବର୍ଣ୍ଣିମ ପ୍ରଦର୍ଶନ ପାଇଁ ପଦ୍ମଶ୍ରୀ ବଲବୀର ସବୁଦିନେ ମନେରହିବେ। ନିଃସନ୍ଦେହରେ ସେ ଜଣେ ମହାନ୍‌ ହକି ଖେଳାଳି ଥିଲେ। ତାଙ୍କ ପରଲୋକରେ ଭାରତୀୟ ହକିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।