Categories: Home Leftଖେଳ

ବଦଳିପାରେ ଓଭରଥ୍ରୋ ନିୟମ

ଲଣ୍ଡନ,୨୦।୭(ପି.ଟି.)- କ୍ରିକେଟ ନିୟମ ପ୍ରସ୍ତୁତକାରୀ ମାରିଲେବୋନ କ୍ରିକେଟ କ୍ଲବ (ଏମ୍‌ସିସି) ଓଭରଥ୍ରୋ ନିୟମରେ ପରିବର୍ତ୍ତନ କରିପାରେ। ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ବିଶ୍ୱକପ୍‌ ଫାଇନାଲରେ ଓଭରଥ୍ରୋ ବିବାଦ ଉପୁଯିବା ପରେ ଏହି ନିୟମ ଉପରେ ବିଚାର କରାଯିବା ନେଇ ଏକ ଖବରକାଗଜ ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ର ଅନ୍ତିମ ଓଭରରେ ହୋଇଥିବା ଓଭରଥ୍ରୋ ନ୍ୟୁଜିଲାଣ୍ଡର ଦୁର୍ଭାଗ୍ୟଜନକ ପରାଜୟର କାରଣ। ମାର୍ଟିନ ଗୁପ୍‌ଟିଲଙ୍କ ଥ୍ରୋ ବେନ ଷ୍ଟୋକ୍ସଙ୍କ ବ୍ୟାଟ୍‌ରେ ବାଜିବା ପରେ ବଲ ବାଉଣ୍ଡରି ସୀମା ଅତିକ୍ରମ କରିଯାଇଥିଲା। ଅନ୍‌ଫିଲ୍ଡ ଅମ୍ପାୟର କୁମାର ଧର୍ମସେନା ଓ ମାରିଅସ ଇରାସମୁସ ଏହାକୁ ଚୌକା ବୋଲି ଘୋଷଣା କରିଥିଲେ। ଯାହାଫଳରେ ମ୍ୟାଚ୍‌ର ଫଳାଫଳ ପାଇଁ ସୁପର ଓଭର ଖେଳାଯାଇଥିଲା ଓ ପରେ ଇଂଲଣ୍ଡ ଟ୍ରଫି ହାତେଇ ନେଇଥିଲା। କିନ୍ତୁ ଆଇସିସି ଏଲାଇଟ ପ୍ୟାନେଲ ଅମ୍ପାୟର ସାଇମନ ଟଫେଲ କହିଛନ୍ତି, ନିୟମ ଅନୁଯାୟୀ ଅମ୍ପାୟରମାନେ ଇଂଲଣ୍ଡକୁ ୬ ରନ୍‌ ପରିବର୍ତ୍ତେ ୫ ରନ୍‌ ଦେବା କଥା। କାରଣ ଡିପ୍‌ ଅଞ୍ଚଳରୁ ଗୁପ୍‌ଟିଲ ଥ୍ରୋ କରିବା ପୂର୍ବରୁ ବ୍ୟାଟ୍ସମ୍ୟାନମାନେ ଦ୍ୱିତୀୟ ରନ୍‌ ପୂରଣ କରି ନ ଥିଲେ।