Categories: Home Leftଖେଳ

ବକ୍ସିଂ ମ୍ୟାଚ୍‌ ପରେ କୋମାରେ ୟୁଏସ୍‌ ବକ୍ସର

ଲସ୍‌ ଏଞ୍ଜେଲସ,୧୪।୧୦(ଏଏଫ୍‌ପି)- ଆମେରିକୀୟ ବକ୍ସର ପାଟ୍ରିକ ଡେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଶନିବାର ରାତିରେ ଶିକାଗୋ ଓ୍ବନଷ୍ଟ୍ରଷ୍ଟ ଏରିନାଠାରେ ଅନୁଷ୍ଠିତ ଚାର୍ଲସ କନଓ୍ବେଲଙ୍କ ବିପକ୍ଷ ସୁପର ଓ୍ବେଲ୍ଟରଓ୍ବେଟ ନକ୍‌ଆଉଟ୍‌ ମ୍ୟାଚ୍‌ ପରେ ସେ କୋମାକୁ ଚାଲିଯାଇଛନ୍ତି। ୨୭ ବର୍ଷୀୟ ବକ୍ସର ମ୍ୟାଚ୍‌ବେଳେ ଗୁରୁତର ଆହତ ହୋଇଥିଲେ। ରିଙ୍ଗରୁ ଷ୍ଟ୍ରେଚରରେ ନିଆଯାଉଥିବାବେଳେ ସେ ଚେତା ହରାଇଥିଲେ। ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ପହଞ୍ଚତ୍ବା ପରେ ତାଙ୍କୁ ନିଃଶ୍ୱାସ ନେବାପାଇଁ ବ୍ରେଥିଂ ଟ୍ୟୁବ ଲଗାଯାଇଥିଲା। ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ବ୍ରେନ ସର୍ଜରି କରାଯାଇଥିଲା। ପାଟ୍ରିକ ଏବେ କୋମାରେ ଅଛନ୍ତି। ତାଙ୍କ ସ୍ଥିତି ଗୁରୁତର ଅଛି ବୋଲି ଫାଇଟ୍‌ ପ୍ରମୋଟର ଲୋ ଡିବେଲା ପକ୍ଷରୁ କୁହାଯାଇଛି। ଏହାବାଦ୍‌ ପ୍ରମୋଟରଙ୍କ ପକ୍ଷରୁ ଡେ’ଙ୍କ ଆହତ ସମସ୍ୟା ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇ ନାହିଁ। ତାଙ୍କ ପ୍ରତିପକ୍ଷ ବକ୍ସର କନଓ୍ବେଲ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ସମର୍ଥକଙ୍କୁ ପାଟ୍ରିକଙ୍କ ଲାଗି ପ୍ରାର୍ଥନା କରିବାକୁ କହିଛନ୍ତି। ଆମେରିକାର ଅଲିମ୍ପିଆନ ଗତ ଜୁନରେ କାର୍ଲୋସ ଆଡାମସଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୧୩ରୁ ଆରମ୍ଭ ହୋଇଥିବା ପ୍ରଫେଶନାଲ ବକ୍ସିଂ କ୍ୟାରିୟରରେ ଏପର୍ଯ୍ୟନ୍ତ ୧୭ ବିଜୟ ଓ ୪ ପରାଜୟ ରହିଛି।