Categories: ଅନୁଗୋଳ

ବଅଁରପାଳ ପୋଲିସକୁ ଦୁର୍ବୃତ୍ତଙ୍କ ଚ୍ୟାଲେଞ୍ଜ : ଭୁଜାଲିରେ ହାଣି ଲୁଟି ନେଲେ ଟଙ୍କା

ବଅଁରପାଳ,୧୩।୭(ଡି.ଏନ.ଏ.) – ବଅଁରପାଳ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ୩ ଦୁର୍ବୃତ୍ତ। ଶୁକ୍ରବାର ଅପରାହ୍ନରେ ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ଭୁଜାଲି ଦେଖାଇ ଓ ଜଣେ ବ୍ୟବସାୟୀଙ୍କୁ ଆକ୍ରମଣ କରି ୨ଟି ମୋବାଇଲ, ନଗଦ ଟଙ୍କା, ନୂଆ ପ୍ୟାଣ୍ଟ ସାର୍ଟ ଥିବା ବ୍ୟାଗ ଧରି ଦୁର୍ବୃତ୍ତମାନେ ବାଇକ୍‌ରେ ଫେରାର ହୋଇଯାଇଛନ୍ତି। ଜନଗହଳି ସ୍ଥାନରେ ଏଭଳି ଲୁଟ୍‌ ବଅଁରପାଳ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରଥମ ଘଟଣାଟି ଘଟିଛି ବଅଁରପାଳ ଥାନାଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଗଣେଶ ବଜାରରେ। ଝଜିରିବାହାଳ ଗ୍ରାମର ଚିନ୍ତାମଣି ବେହେରା ବଜାରରେ ଦେଇଥିବା ହୋଟେଲରେ ତାଙ୍କ ପୁଅ ସତ୍ୟରଞ୍ଜନ ବସିଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସିଥିଲେ। ସତ୍ୟରଞ୍ଜନ ବେଞ୍ଚ ଉପରେ ଦୁଇଟି ମୋବାଇଲ ରଖି ପାଖରେ ଥିବା ଡ୍ରମରୁ ପାଣି ପିଉଥିବା ସମୟରେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ କୌଶଳକ୍ରମେ ଆସି ଫୋନ ଦୁଇଟି ନେଇ ବାଇକ୍‌ରେ ଷ୍ଟାର୍ଟ କରି ଅପେକ୍ଷା କରିଥିବା ଅନ୍ୟ ଦୁଇ ଦୁର୍ବୃତ୍ତଙ୍କ ସହ ପଳାଇ ଯାଇଥିଲେ। ସତ୍ୟରଞ୍ଜନ ପିଛା କରିବାରୁ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ହଠାତ୍‌ ଏକ ତଉଲିଆରେ ଗୁଡାଇ ରଖିଥିବା ଭୁଜାଲି ବାହାର କରି ଭୟଭୀତ କରିଥିଲା। ପରେ ଦୁର୍ବୃତ୍ତମାନେ ଅନୁଗୋଳ ଅଭମୁଖେ ପଳାଇ ଯାଇଥିଲେ। ସେହିପରି ୫୫ ନଂ ଜାତୀୟ ରାଜପଥର ବନ୍ଦା ଆମ୍ବତୋଟା ପାଖରେ ଘଟିଛି ଅନ୍ୟ ଏକ ଲୁଟ୍‌ ଘଟଣା। କୁକଡାଙ୍ଗ ଗ୍ରାମର ଧରଣୀଧର ଶତପଥୀ ରାଜପଥ ପାର୍ଶ୍ୱରେ ପ୍ୟାଣ୍ଟ ସାର୍ଟ ଓ ଗଞ୍ଜି ବିକ୍ରି କରୁଥିବାବେଳେ ୩ ଦୁର୍ବୃତ୍ତ ହଠାତ୍‌ ସେଠାରେ ପହଞ୍ଚି ତାଙ୍କୁ ଭୁଜାଲିରେ ଆକ୍ରମଣ କରି ନଗଦ ୩,୬୦୦ ଟଙ୍କା, ପ୍ୟାଣ୍ଟ ଓ ସାର୍ଟ ଥିବା ଏକ ବ୍ୟାଗକୁ ଧରି ଅନୁଗୋଳ ଅଭିମୁଖେ ପଳାଇ ଯାଇଥିଲେ। ସ୍ଥାନୀୟ ବାସିନ୍ଦା ଗୁରୁତର ଧରଣୀଧରଙ୍କୁ ଉଦ୍ଧାର କରି ବଅଁରପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ନେଇ ଉଭୟ ସତ୍ୟରଞ୍ଜନ ଓ ଧରଣୀଧର ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।