Categories: ଅନୁଗୋଳ

ବଅଁରପାଳ: ଦର ଆକାଶଛୁଅଁ।

ବଅଁରପାଳ, ୨ା୬(ଡି.ଏନ.ଏ.) ସୋମବାର ସାବିତ୍ରୀ ବ୍ରତ। ଏଥିପାଇଁ ଅନୁଗୋଳ ଜିଲାର ବିଭିନ୍ନ ମନ୍ଦିର, ଦୈବୀ ପୀଠରେ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଚାଲିଛି। ବିଭିନ୍ନ ପୂଜା କମିଟି ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏହି କ୍ରମରେ ବଅଁରପାଳସ୍ଥିତ ନାଲ୍‌କୋ ଜଗନ୍ନାଥ ମନ୍ଦିର, ଶିବ, ସାଇ ମନ୍ଦିର ସମେତ ଅନ୍ୟ ମନ୍ଦିରଗୁଡିକରେ ମହିଳାମାନେ ଓଷା ପାଳିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜନ କରାଯାଇଛି। ଅନ୍ୟପକ୍ଷରେ ସାବିତ୍ରୀ ଓଷା ପାଳନ ଉପଲକ୍ଷେ ଫଳ ବଜାରରେ ଲୋକଙ୍କ ଭିଡ଼ ଜମିଛି। ଚାହିଦାକୁ ଦେଖି ବଜାରରେ ଫଳ ଦର ମଧ୍ୟ ଆକାଶଛୁଆଁ ହୋଇଛି। ଏଥିଯୋଗୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିଛି। ବେପାରୀମାନେ ମନଇଚ୍ଛା ଦର ବଢାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ସେଓ, ଡାଳିମ୍ବ, ଅଙ୍ଗୁର, ଆମ୍ବ, ଲିଚୁ, ପଣସ, ଜାମୁ, ତରଭୁଜ, କେନ୍ଦୁ ଆଦି ଫଳର ଚାହିଦା ଯୋଗୁ ଦର ଆକାଶଛୁଆଁ ହୋଇଛି। ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ, ଟାଉନଶିପ୍‌, ଗିରାଙ୍ଗ ଛକ, ସିପିପି ଛକ, ବଅଁରପାଳ ଛକ, କନ୍ୟାବେଡ଼ା ଛକ ଆଦି ବଜାରରେ ଚଢ଼ା ଦରରେ ଫଳମୂଳ ବିକ୍ରି ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ରବିବାର ଏହି ଦର ଆହୁରି ଅଧିକ ହେବ ବୋଲି ଗ୍ରାହକ ଆଶଙ୍କା କରୁଛନ୍ତି। ଫଳ କିଣିବାକୁ ଆସିଥିବା ଗ୍ରାହକ ନିର୍ମଳ ସାମଲ, ଡମ୍ବରୁଧର ସିଂ, ସ୍ବର୍ଣ୍ଣ ରାଉତ, ମନୋରଞ୍ଜନ ସାହୁ କହିଛନ୍ତି, ସାବିତ୍ରୀ ଯୋଗୁ ବଜାରରେ ଫଳ ଦର ହଠାତ୍‌ ବୃଦ୍ଧି ପାଇଛି। ବ୍ୟବସାୟୀମାନେ ମନଇଚ୍ଛା ଟଙ୍କା କହୁଛନ୍ତି। ଫଳରେ ପୂର୍ବଭଳି ଅଳ୍ପ ଟଙ୍କାରେ କିଣିହେଉ ନ ଥିବାରୁ କାଟଛାଣ୍ଟ କରି ଫଳ କିଣିବାକୁ ପଡୁଛି।