Paris: Spain's Rafael Nadal celebrates winning his second round match of the French Open tennis tournament against Germany's Yannick Maden in three sets 6-1, 6-2, 6-4, at the Roland Garros stadium in Paris, Wednesday, May 29, 2019. AP/PTI(AP5_29_2019_000133B)
ପ୍ୟାରିସ, ୩୦।୫(ଏଏଫପି)- ସ୍ପେନର ରାଫାଲ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରର ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କ୍ଲେ-କୋର୍ଟର ରାଜାଭାବେ ପରିଚିତ ନାଡାଲ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଜର୍ମାନୀର ୟାନିକ୍ ମାଡେନଙ୍କୁ ୬-୧, ୬-୨, ୬-୪ ସେଟ୍ରେ ପରାସ୍ତ କରିଛନ୍ତି। ୧୭ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ୩୨ ବର୍ଷୀୟ ନାଡାଲ ବେଲଜିୟମର ଡେଭିଡ୍ ଗଫିନଙ୍କୁ ପରବର୍ତ୍ତୀ ରାଉଣ୍ଡରେ ଭେଟିବେ। ଅନ୍ୟଏକ ମ୍ୟାଚରେ ଫେଡରର ଜର୍ମାନୀର ଓସ୍କାର ଓଟ୍ଟିଙ୍କୁ ୬-୪, ୬-୩, ୬-୪ ସେଟ୍ରେ ହରାଇ ଦେଇଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ଫେଡରର ନରଓ୍ବେର କାସ୍ପର ରୁଡ୍ଙ୍କୁ ଭେଟିବେ। ରୁଡ୍ ୬-୪, ୭-୫, ୬-୩ ସେଟ୍ରେ ଇଟାଲିର ମାଟେଓ ବେରେଟିନିଙ୍କୁ ହରାଇଥିଲେ। ଗ୍ରୀକ୍ ଷ୍ଟାର ଷ୍ଟିଫାନୋସ ତିସିତସିପାସ ବଲିଭିଆର ହ୍ୟୁଗୋ ଡେଲିଏନଙ୍କୁ ୪-୬, ୬-୦, ୬-୩, ୭-୫ ସେଟ୍ରେ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ୟୁକ୍ରେନର ଏଲିନା ସ୍ବିତୋଲିନା ତୃତୀୟ ରାଉଣ୍ଡରେ ୨୦୧୬ ଚାମ୍ପିୟନ ଗାବ୍ରିନ ମୁଗୁରୁଜାଙ୍କୁ ଭେଟିବେ। ମୁଗୁରୁଜା ସ୍ବିଡେନର ଜୋହାନା ଲାର୍ସନଙ୍କୁ ୬-୪, ୬-୧ ସେଟ୍ରେ ହରାଇ ଆଗକୁ ବଢ଼ିଛନ୍ତି। ଗତବର୍ଷର ରନର୍ସଅପ୍ ସ୍ଲୋଆନେ ଷ୍ଟିଫେନନ୍ସ ୬-୧, ୭-୬(୭/୩) ସେଟ୍ରେ ସାରା ସୋରିବେସ ଟର୍ମୋଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଫ୍ରେଞ୍ଚ୍ ଓପନ୍ ୨ୟ ରାଉଣ୍ଡରେ ଶରନ
ଉଦୀୟମାନ ଭାରତୀୟ ଟେନିସ ଖେଳାଳି ଡିଭିଜ ଶରନ ଏଠାରେ ଚାଲିଥିବା ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଫ୍ରେଞ୍ଚ ଓପନ୍ ପୁରୁଷ ଡବଲ୍ସର ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୁଧବାର ଅନୁଷ୍ଠିତ ପ୍ରଥମ ରାଉଣ୍ଡର ଏକ ମ୍ୟାଚ୍ରେ ଶରନ ଓ ତାଙ୍କ ବ୍ରାଜିଲୀୟ ଯୋଡ଼ିଦାର ମାର୍ସେଲୋ ଡେମୋଲାଇନର ୬-୩, ୪-୬, ୬-୨ ସେଟ୍ରେ ହଙ୍ଗେରୀ-ସ୍ବିଡେନ ଯୋଡ଼ିଦାର ଫୁକ୍ସୋଭିକ ଓ ଲିଣ୍ଡଷ୍ଟେଡେଟ୍ଙ୍କୁ ପରାସ୍ତ କରିଛନ୍ତି। ଶରନ-ମାର୍ସେଲୋ ଯୋଡ଼ିଙ୍କୁ ଏହି ମ୍ୟାଚ୍ ଜିତିବାକୁ ଏକ ଘଣ୍ଟା ୪୮ ମିନିଟ୍ ସମୟ ଲାଗିଥିଲା। ପରବର୍ତ୍ତୀ ରାଉଣ୍ଡରେ ହେନରିକ୍ କୋଣ୍ଟିନେ ଓ ଜନ୍ ପିୟର୍ସ ଯୋଡ଼ିଙ୍କୁ ଶରନ ଓ ମାର୍ସେଲୋ ଭେଟିବେ।