ଫେଲ୍‌ ମାରିଲା ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୨୮।୫: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ପୁଲଓ୍ବାମା ଭଳି ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରି ଦିଆଯାଇଛି। ପୁଲଓ୍ବାମା ଜିଲା ଅବିଗୁଣ୍ଡ ରାଜପୋରା ଅଞ୍ଚଳରେ ଗୁରୁବାର ପୁଲଓ୍ବାମା ପୋଲିସ, ସିଆର୍‌ପିଏଫ୍‌ ଓ ସେନାର ମିଳିତ ଉଦ୍ୟମରେ ଇମ୍ପ୍ରୋଭାଇଜଡ୍‌ ଏପ୍ଲୋସିଭ ଡିଭାଇସ(ଆଇଇଡି) ଭର୍ତ୍ତି କାରକୁ ଜବତ କରାଯାଇଛି। ପରେ ଏହାକୁ ବୋମା ନିଷ୍କ୍ରିୟକାରୀ ଦଳଙ୍କ ଦ୍ୱାରା ନିଷ୍କ୍ରିୟ କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ, ପୁଲଓ୍ବାମାର ରାଜପୋରା ରୋଡରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ ଦ୍ୱାରା ଉକ୍ତ କାରକୁ ଚଲାଯାଉଥିଲା। ପୁଲଓ୍ବାମା ପୋଲିସ, ସିଆର୍‌ପିଏଫ୍‌ ଓ ସେନାକୁ ସନ୍ଦେହ ହେବାରୁ ସେ କାରକୁ ଅଟକାଇବାରୁ ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ ଓ ସେଠାରୁ ଖସି ପଳାଇଥିଲେ। ଏହାପରେ ସୁରକ୍ଷାକର୍ମୀଙ୍କ ଦ୍ୱାରା କାରକୁ ଜବତ କରି ଯାଞ୍ଚ କରାଯିବାରୁ ସେଥିରେ ଆଇଇଡି ଥିବା ଜଣାପଡିଥିଲା। ତେବେ କାରରେ ଭୁଲ୍‌ ନମ୍ବର ପ୍ଲେଟ ବି ଲାଗିଥିବା ଜଣାପଡିଛି।