Categories: Home Leftଖେଳ

ଫେକ୍‌ ପାସପୋର୍ଟ ପାଇଁ କିମ୍ବଦନ୍ତୀ ଫୁଟବଲର ଗିରଫ

ନୂଆଦିଲ୍ଲୀ, ୫ା୩- ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର ରୋନାଲ୍ଡିନୋ ପାରାଗୁଏରେ ଗିରଫ ହୋଇଛନ୍ତି। ଏହି ଦକ୍ଷିଣ ଆମେରିକୀୟ ଦେଶରେ ପ୍ରବେଶ କରିବା ଲାଗି ସେ ଫେକ ଡକ୍ୟୁମେଣ୍ଟ ବ୍ୟବହାର କରିଛନ୍ତି। ୨୦୦୨ରେ ବ୍ରାଜିଲକୁ ଫିଫା ବିଶ୍ୱକପ୍‌ ଚାମ୍ପିୟନ କରାଇଥିବା ୩୯ ବର୍ଷୀୟ ରୋନାଲ୍ଡିନୋ ଓ ତାଙ୍କ ଭାଇ ରବର୍ଟୋଙ୍କୁ ରିଜର୍ଟ ୟାଚ୍‌ ଓ ଗଲ୍ଫ କ୍ଲବ ପାରାଗୁଏଠାରେ ବୁଧବାର ରାତିରେ ପଚରାଉଚରା କରାଯାଇଛି। ଏ ନେଇ ପାରାଗୁଏର ମିନିଷ୍ଟ୍ରି ଅଫ୍‌ ଇଣ୍ଟେରିଅର ପକ୍ଷରୁ ସ୍ପଷ୍ଟ କରିଛି। ସେମାନଙ୍କ ହୋଟେଲ ରୁମରେ ମିଳିଥିବା ପାସପୋର୍ଟରେ ରୋନାଲ୍ଡିନୋ ଓ ରବର୍ଟୋ ପାରାଗୁଏର ନାଗରିକ ବୋଲି ଦର୍ଶାଯାଇଛି। ରୋନାଲ୍ଡିନୋଙ୍କୁ ଏକ କାସିନୋ ମାଲିକ ନେଲସନ ବେଲୋଟି ଆମନ୍ତ୍ରଣ କରିଥିବା ଗୁରୁବାର ସକାଳେ ପାରଗୁଏ ପୋଲିସ ଏକ ବିବୃତି ପ୍ରକାଶ କରିଛି। ତାଙ୍କ ନିକଟରେ ବ୍ରାଜିଲ ପାସପୋର୍ଟ ନ ଥିଲା। ଏହାର କାରଣ ତାଙ୍କୁ ୨୦୧୮ରେ ପରିବେଶକୁ ଦୂଷିତ କରିବା ଲାଗି ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୨୦୧୫ରେ ଲେକ ଗୁଆଇବାଠାରେ ସେ ବିନା ଲାଇସେନ୍ସର ସ୍ଥାୟୀ ସଂରକ୍ଷଣ ଅଞ୍ଚଳରେ ମାଛ ଧରିବା ଲାଗି ଜାଲ ବିଛାଇଥିଲେ। ଏଥିଯୋଗୁ ୨୦୧୮ ନଭେମ୍ବରରେ ତାଙ୍କୁ ୮.୫ ନିୟୁତ ଡଲାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିଲେ ବ୍ରାଜିଲର ସୁପେରିଅର କୋର୍ଟ। କିନ୍ତୁ ଅର୍ଥ ଦାଖଲ କରି ନ ଥିଲେ। ଏଣୁ କୋର୍ଟ ରୋନାଲ୍ଡିନୋ ଓ ରବର୍ଟୋଙ୍କୁ ଦେଶ ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏଥିଯୋଗୁ ସେମାନଙ୍କ ନିକଟରେ ବ୍ରାଜିଲ ପାସପୋର୍ଟ ନାହିଁ। ଜଣେ ଖେଳାଳି ଭାବେ ସବୁ ସଫଳତା ପାଇଥିଲେ। କ୍ୟାରିୟରରେ ଚାମ୍ପିୟନ୍ସ ଲିଗ୍‌, ଲା ଲିଗା, ସିରି ଏ’ ଭଳି ଶୀର୍ଷ ସ୍ଥରୀୟ ଲିଗ୍‌ରେ ଖେଳିଥିଲେ। ୨୦୦୫ରେ ବାଲୋନ ଡି’ଅର ପୁରସ୍କାର ଜିତିବା ସହ ସେହିବର୍ଷ ଓ ୨୦୦୪ ରେ ଶ୍ରେଷ୍ଠ ଫିଫା ଖେଳାଳି ପୁରସ୍କାର ପାଇଥିଲେ। ୨୦୦୨ରେ ଜାପାନ ଓ ଦକ୍ଷିଣ କୋରିଆରେ ଅନୁଷ୍ଠିତ ଫିଫା ବିଶ୍ୱକପ୍‌ରେ ତାଙ୍କ ପ୍ରତିନିଧିତ୍ୱରେ ବ୍ରାଜିଲ ଚାମ୍ପିୟନ ହୋଇଥିଲା। ୧୯୯୯ରେ କୋପା ଆମେରିକା ଜିତିଥିବା ବ୍ରାଜିଲ ଦଳର ସେ ଗୁରୁତ୍ୱପୂର୍ଣ୍ଣ ଅଂଶଥିଲେ।