Categories: ମେଟ୍ରୋ

ଫିଲ୍ମ ଇଣ୍ଡଷ୍ଟ୍ରୀ କର୍ମଚାରୀଙ୍କ ପାଇଁ ୨.୫ଲକ୍ଷ ଦେଲେ ନୀଳମାଧବ

ଭୁବନେଶ୍ୱର,୩୦।୩(ବ୍ୟୁରୋ)- ଭିନ୍ନସ୍ବାଦର ଫିଲ୍ମ ତିଆରି କରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାର ନାମକୁ ଗୌରବାନ୍ବିତ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମମେକର ନୀଳମାଧବ ପଣ୍ଡା ସହାୟତାର ହାତ ବଢାଇଛନ୍ତି। କରୋନା ପାଇଁ ସମସ୍ୟାରେ ପଡିଥିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର କର୍ମଚାରୀଙ୍କ ଉଦ୍ଦେଶ୍ୟରେ ୨.୫ ଲକ୍ଷ ଟଙ୍କାର ସହାୟତା ରାଶି ଓଡ଼ିଶା ମୋଶନ ପିକ୍‌ଚର୍‌ ଟେକ୍ନିସିଆନ୍ସ ଆଣ୍ଡ୍‌ ଓ୍ବାର୍କର୍ସ ଆସୋସିଏଶନ୍‌କୁ ପ୍ରଦାନ କରିଛନ୍ତି। ଗତ ୧୯ ତାରିଖଠାରୁ ରାଜ୍ୟ ତଥା ଦେଶରେ ଫିଲ୍ମ, ଟେଲିଭିଜନ ଏବଂ ଓ୍ବେବ୍‌ସିରିଜ ଆଦିର ଶୁଟିଂ ବନ୍ଦ ରହିଛି। ଫଳରେ ଏହା ଉପରେ ନିର୍ଭର କରି ପେଟ ପୋଷୁଥିବା ଲାଇଟ୍‌ ବଏଜ୍‌, ସ୍ପଟ୍‌ ବଏଜ୍‌, ମେକ୍‌ଅପ୍‌ ଆର୍ଟିଷ୍ଟ, ଆର୍ଟ ଏବଂ ପ୍ରଡକ୍ସନ ସହ ଜଡ଼ିତ କର୍ମଚାରୀ ନିଜର ଜୀବିକା ହରାଇଛନ୍ତି। ଓଡ଼ିଶାର ପ୍ରାୟ ୫୦୦ ପରିବାର କରୋନା ଲକ୍‌ଡାଉନ୍‌ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏପରିସ୍ଥିତିରେ ସମସ୍ତଙ୍କ ଘରେ ମାସିକ ରାଶନ ଏବଂ ଜରୁରୀ ସାମଗ୍ରୀ ପଠାଇବା ଅସମ୍ଭବ ହୋଇଥିବାରୁ ସେ ଏହି ଛୋଟ ସହାୟତା କରିଥିବା ପଣ୍ଡା କହିଛନ୍ତି। ପରିସ୍ଥିତି କେବେ ଠିକ୍‌ ହେବ ତାହା କେହି ଜାଣି ନ ଥିବାବେଳେ ସମସ୍ତେ ଏକାଠି ହୋଇ ପରସ୍ପରକୁ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି।