Businessman holding a tablet computer and growing chart floating above digital tablet computer screen. graph corporate growth plan concept
ନୂଆଦିଲ୍ଲୀ,୨୭-୮: ଦେଶର ଆର୍ଥିକ ବିକାଶ ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ହାରାହାରି ୬ ପ୍ରତିଶତ ରହିବ ବୋଲି ଉଦ୍ୟୋଗ ଜଗତ ପ୍ରତିନିଧି ଫେଡେରେଶନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଫିକ୍କି) ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍ଓ) ଆସନ୍ତା ସପ୍ତାହରେ ଦେଶର ଜିଡିପି ଅଭିବୃଦ୍ଧି ହାର ଘୋଷଣା କରିବ। ତେବେ ଦେଶର ଆର୍ଥିକ ବିକାଶ ହାର ୨୦୧୮-୧୯ର ଏପ୍ରିଲ-ଜୁନ୍ ପ୍ରଥମ ତ୍ରୈମାସରେ ୮.୨% ରହିଥିଲା ଫିକ୍କିର ଆର୍ଥିକ ଦୃଶ୍ୟପଟ ସର୍ଭେ ଅନୁସାରେ, ନିକଟରେ ଏନ୍ଏସ୍ଏସ୍ଓ ପକ୍ଷରୁ ଜାରି କରାଯାଇଥିବା ବେକାରି ସଂଖ୍ୟା ଦେଶରେ ରୋଜଗାର ସ୍ଥିତି ଗମ୍ଭୀର ଥିବା ଦର୍ଶାଉଛି। ଉଦ୍ୟୋଗ ଜଗତ ପ୍ରତିନିଧି ପକ୍ଷରୁ କୁହାଯାଇଛି ଯେ, ୨୦୧୯-୨୦ରେ ବାର୍ଷିକ ଡିଜିପି ହାରାହାରି ବୃଦ୍ଧି ହାର ୬.୯ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ଏହା ସର୍ବନିମ୍ନ ୬.୭% ଏବଂ ସର୍ବାଧିକ ୭.୨% ରହିବ ବୋଲି ଅନୁମାନ କରାଯାଉଛି। ସର୍ଭେରେ ସାମିଲ ଅଧିକାଂଶ ଅର୍ଥନୀତିଜ୍ଞଙ୍କ ମତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ନେଇ ନରମ ମନୋଭାବ ପୋଷଣ କରିବ। ଅବଶିଷ୍ଟ ଅବଧିରେ ରେପୋ ରେଟ୍ ଆହୁରି ହ୍ରାସ ପାଇବ ବୋଲି ମନେ କରାଯାଉଛି। ଏବେ ସୁଦ୍ଧା ବାସ୍ତବିକ ସୁଧ ହାର ଅଧିକ ରହିଛି ବୋଲି ସମସ୍ତେ ଏକମତ। ବ୍ୟାଙ୍କରେ ଜମା ବୃଦ୍ଧି ପରିମାଣ ବଢ଼ୁ ନ ଥିବାରୁ ବ୍ୟାଙ୍କଗୁଡ଼ିକ ଚିନ୍ତିତ। କାରଣ ଏହାଦ୍ୱାରା ସେମାନଙ୍କର ଋଣ ଦେବା କ୍ଷମତା ପ୍ରଭାବିତ ହେଉଛି। ଏହି କାରଣରୁ ସେମାନେ ସୁଧ ହାର କମାଇବାକୁ ରାଜି ହେଉ ନାହାନ୍ତି। ଅଧିକ ନିଯୁକ୍ତି ସୃଷ୍ଟି ଲାଗି ଅର୍ଥନୀତିରେ ସଂସ୍କାର ଲାଗି ୪ କ୍ଷେତ୍ର ଚିହ୍ନଟ କରାଯାଇଛି। କାରବାର କରିବା ଲାଗି ଆବଶ୍ୟକ ପୁଞ୍ଜି, ନିୟାମକୀୟ, ଶ୍ରମ ସୁଧାର ସହ କ୍ଷେତ୍ର ଆଧାରିତ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ଉପରେ ଅର୍ଥନୀତିଜ୍ଞମାନେ ଜୋର୍ ଦେଇଛନ୍ତି।