Categories: ଗଞ୍ଜାମ

ଫାଟିଲା ଜାନିବିଲି ନୂତନ ପାଇପ୍‌ଲାଇନ

ବ୍ରହ୍ମପୁର ଅଫିସ,୨୬ା୫-ଖରା ବଢୁଥିବା ବେଳେ ବ୍ରହ୍ମପୁର ସହରରେ ଉତ୍କଟ ହୋଇଛି ଜଳ ସଙ୍କଟ। ଏହାକୁ ଦୂର ପାଇଁ ରାଜ୍ୟ ସରକାର ଜାନିବିଲି ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଏଯାଏ ଅସମ୍ପୂର୍ଣ୍ଣ ହୋଇ ରହିଥିବା ବେଳେ ବିଛା ଯାଇଥିବା ପାଇପ୍‌ଲାଇନ ଗୁଡିକରେ ପରୀକ୍ଷା ମୂଳକ ଭାବେ ଜଳଯୋଗାଣ ବେଳେ ଫାଟି ଯିବାରୁ ଜଳ ନଷ୍ଟ ହେଉଥିବା ଲକ୍ଷ୍ୟ କରାଯାଇଛି।
ଜାନିବିଲି ପ୍ରକଳ୍ପ ଉଦ୍‌ଘାଟନ ପରେ ଲୋଚାପଡା ସମେତ ଅନ୍ୟ କେତେକ ଅଞ୍ଚଳରେ ଶନିବାର ନୂତନ ପାଇପ୍‌ ଲାଇନ ଫାଟିିଥିବା ଦେଖାଯାଇଥିଲା। ଅପରାହ୍ନରେ ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାକୁ ବଦଳାଯାଇ ନୂତନ ପାଇପ୍‌ ଖଞ୍ଜା ଯାଇଥିଲା।
ସହରକୁ ଖରାଦିନରେ ହେଉଥିବା ଜଳାଭାବ ଦୂର କରିବାକୁ ପ୍ରାୟ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜାନିବିଲି ଜଳଯୋଗାଣ ପ୍ରକଳ୍ପ ରାଜ୍ୟ ସରକାର ହାତକୁ ନେଇଛନ୍ତି। ଗତ ମାର୍ଚ୍ଚ ୩ରେ ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ। କିନ୍ତୁ ସହରରେ ବିଛା ଯାଇଥିବା ପାଇପ୍‌ଲାଇନରେ ପରୀକ୍ଷାମୂଳକ ଭାବେ ଜଳଯୋଗାଣ ବେଳେ ଅନେକ ସ୍ଥାନରେ ଫାଟି ଯାଇ ଜଳ ନଷ୍ଟ ହେଉଥିବା ଦୃଷ୍ଟିକୁ ଆସିଛି। ଶନିବାର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଗେଟବଜାର ଗୋକର୍ଣ୍ଣେଶ୍ୱର ମନ୍ଦିର ପାର୍ଶ୍ୱରେ। ମନ୍ଦିର ପାର୍ଶ୍ୱ ରାସ୍ତା ଦେଇ ବିଛା ଯାଇଥିବା ଏକ ନୂତନ ପାଇପ୍‌ଲାଇନ ଫାଟି ପାଣି ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଜାନିବିଲି ପ୍ରକଳ୍ପ ଆରମ୍ଭ ପୂର୍ବରୁ ଜଗଦଳପୁରସ୍ଥିତ ଟ୍ରିଟମେଣ୍ଟ ପ୍ଲାଣ୍ଟ ସଞ୍ଚାଳନ ବେଳେ ଜିଲା ପ୍ରଶାସନର ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମ୍ମୁଖରେ ଜନସ୍ବାସ୍ଥ୍ୟ ବିଭାଗ ଓ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଥିବା ସଂସ୍ଥା ଅଧିକାରୀମାନେ ପ୍ରକଳ୍ପ କାର୍ଯ୍ୟରେ ସର୍ବୋତ୍କୃଷ୍ଟ ପାଇପ୍‌ ଲାଇନ ବ୍ୟବହାର କରାଯିବା ସହ ନିର୍ମାଣ କାର୍ଯ୍ୟ ମଧ୍ୟ ଉଚ୍ଚକୋଟୀର କରାଯାଉଥିବା ନେଇ ମତ ଦେଇଥିଲେ। କିନ୍ତୁ ଉଦ୍‌ଘାଟନର ୩ମାସ ନ ପୂରୁଣୁ ପରୀକ୍ଷାମୂଳକ ଭାବେ ଜଳଯୋଗାଣ ବେଳେ ଏକାଧିକ ସ୍ଥାନରେ ପାଇପ୍‌ ଫାଟିଥିବା ଦୃଷ୍ଟିକୁ ଆସିଛି। ଯାହା ପାଇପ୍‌ଲାଇନ ତଥା ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି। ସମ୍ପୃକ୍ତ ଘରୋଇ ସଂସ୍ଥା ଓ ଜନସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Share