Manuel Onwu of Odisha FC in action during match 77 of the Indian Super League ( ISL ) between ATK and Odisha FC held at the Vivekananda Yuba Bharati Krirangan, Kolkata, India on the 8th February 2020. Photo by: Deepak Malik / SPORTZPICS for ISL
ଭୁବନେଶ୍ୱର, ୧୪।୨(ସ୍ପୋର୍ଟ୍ସ ବ୍ୟୁରୋ)- ଇଣ୍ଡିଆନ ସୁପର୍ ଲିଗ୍ (ଆଇଏସ୍ଏଲ୍)ର ଏକ ମ୍ୟାଚ୍ରେ ଶୁକ୍ରବାର ଘରୋଇ ଓଡ଼ିଶା ଏଫ୍ସି ଓ ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍ସି ପରସ୍ପରକୁ ଭେଟିବେ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ନକ୍ଆଉଟ୍ ଦୌଡ଼ରେ ରହିବାକୁ ହେଲେ ଆଇଏସ୍ଏଲ୍ ପଦାର୍ପଣକାରୀ ଦଳ ଓଡ଼ିଶା ଏଫ୍ସି ଏହି ମ୍ୟାଚ୍ରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି। ଚଳିତ ସିଜନରେ ଓଡ଼ିଶା ଏଫ୍ସି ବର୍ତ୍ତମାନ ସୁଦ୍ଧା ୧୬ ମ୍ୟାଚ୍ରୁ ୬ ବିଜୟ ସହ ୨୧ ପଏଣ୍ଟ ପାଇ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି। ଚତୁର୍ଥ ସ୍ଥାନରେ ରହିଥିବା ମୁମ୍ବାଇ ସିଟି (୨୬ ପଏଣ୍ଟ)ଠାରୁ ଦଳ ୫ ପଏଣ୍ଟ ପଛରେ ରହିଛି। ଯଦି ଏହି ମ୍ୟାଚ୍ରେ ଓଡ଼ିଶା ପରାସ୍ତ ହୁଏ ତେବେ ଟପ୍-୪ ଦୌଡ଼ରୁ ବାଦ୍ ପଡ଼ିବ। ତେଣୁ ଓଡ଼ିଶା ଏଫ୍ସି ପ୍ରଶିକ୍ଷକ ଜୋସେଫ୍ ଗୋମ୍ବାଉଙ୍କ ଦଳ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଓଡ଼ିଶା ଏହାର ପୂର୍ବ ୩ଟି ମ୍ୟାଚ୍ରେ ପରାଜୟବରଣ କରିଥିବାରୁ ଚାପରେ ରହିବା ସ୍ବାଭାବିକ। ଅପରପକ୍ଷରେ ଖରାପ ଫର୍ମ ଦେଇ ଗତି କରୁଥିବା ନର୍ଥ ଇଷ୍ଟ ୧୫ ମ୍ୟାଚ୍ରୁ ୧୩ ପଏଣ୍ଟ ପାଇ ଟେବୁଲର ୯ମ ସ୍ଥାନରେ ରହିଛି। ତେଣୁ ପ୍ରଦର୍ଶନକୁ ନଜର ପକାଇଲେ ଓଡ଼ିଶା ଏଫ୍ସି ଘରୋଇ ପଡ଼ିଆରେ ନର୍ଥ ଇଷ୍ଟ ବିପକ୍ଷରେ ସହଜ ବିଜୟ ଲକ୍ଷ୍ୟରେ ରହିଛି। ‘ଶେଷ ଦୁଇଟି ମ୍ୟାଚ୍ ଆମ ପାଇଁ ବେଶ୍ ମହତ୍ୱପୂର୍ଣ୍ଣ। ଏହି ସିଜନରେ ଆମେ ମ୍ୟାଚ୍ ପରେ ମ୍ୟାଚ୍ ଆଗକୁ ବଢ଼ି ଚାଲିଛୁ। ଗାଣିତିକ ଦୃଷ୍ଟିରୁ ଦେଖିଲେ ଟପ୍-୪ରେ ପ୍ରବେଶ ପାଇଁ ସୁଯୋଗ ରହିଛି। ଏହି ମ୍ୟାଚ୍ରେ ଆମେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛୁ। ଯଦି ଶୁକ୍ରବାର ମ୍ୟାଚ୍ରେ ବିଜୟ ହାସଲ କରୁ ତେବେ ପରବର୍ତ୍ତୀ ମ୍ୟାଚ୍ରେ ମଧ୍ୟ ସମାନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବୁ। ଏହି ମ୍ୟାଚ୍କୁ ଫାଇନାଲ ଭାବି ଖେଳିବୁ’ ବୋଲି ଓଡ଼ିଶା ଏଫ୍ସି କୋଚ୍ ଗୋମ୍ବାଉ ଗୁରୁବାର ଖବରଦାତା ସମ୍ମିଳନୀରେ କହିଛନ୍ତି।