Categories: ମେଟ୍ରୋ

ଫଟୋରେ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତିଫଳନ

ଭୁବନେଶ୍ୱର,୧୯।୧(ବ୍ୟୁରୋ)-ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସଂଯୋଗସ୍ଥଳର ନୈସର୍ଗିକ ଶୋଭାକୁ ନେଇ ଫଟୋଗ୍ରାଫର ସ୍ବାତୀ ମହାପାତ୍ରଙ୍କ ଏକ ଫଟୋଗ୍ରାଫି ପ୍ରଦର୍ଶନୀ ଶନିବାର ଲଳିତକଳା ଏକାଡେମୀ ପରିସରରେ ଉଦ୍‌ଘାଟିତ ହୋଇଛି। ଯୁବା ଶିଳ୍ପୋଦ୍ୟୋଗୀ ତଥା ଫଟୋଗ୍ରାଫିରେ ନିଜସ୍ବ ପରିଚୟ ସୃଷ୍ଟି କରିପାରିଥିବା ସ୍ବାତୀ ତାଙ୍କର ଭ୍ରମଣ ସମୟରେ କ୍ୟାମେରା ଲେନ୍ସରେ ଉତ୍ତୋଳିତ ସମସ୍ତ ଫଟୋଗ୍ରାଫ୍‌ ଏଥିରେ ସ୍ଥାନ ପାଇଛି। ଚିଲିକା, ହିମାଳୟ, ଲଦାଖ୍‌, ମସୌରୀ, କାଶ୍ମୀର ଉପତ୍ୟକା, ନେପାଳ, ସିକିିମ୍‌, ହିମାଚଳ ପ୍ରଦେଶ, ମେଘାଳୟର ଜଙ୍ଗଲ ଜୀବନ ଦୃଶ୍ୟ ସହିତ ଥାଇଲାଣ୍ଡ ଏବଂ ଅନ୍ୟ ପ୍ରାଚ୍ୟଦେଶ ସମୂହର ଅନେକ ପ୍ରାକୃତିକ ଦୃଶ୍ୟ ଏହି ପ୍ରଦର୍ଶନୀରେ ପ୍ରତିଫଳିତ ହୋଇଛି। ଏହି ପ୍ରଦର୍ଶନୀକୁ ଏମ୍‌ପି ପିନାକୀ ମିଶ୍ର ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟବକ୍ତାଭାବେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ସମ୍ମାନିତ ଅତିଥି ଭାବେ ସୁନାମଧନ୍ୟ ଫଟୋଗ୍ରାଫର ରାଜ୍‌ ସରକାର ଯୋଗଦେଇ ଫଟୋଗ୍ରାଫିକୁ ନେଇ କ୍ୟାରିୟର ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଫଟୋ ପ୍ରଦର୍ଶନୀ ସ୍ବର୍ଗବାସୀ ପିତା ସୋମନାଥ ମହାପାତ୍ର ଏବଂ ମାତା ନୀଳିମା ମିଶ୍ରଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିବା ସ୍ବାତୀ କହିଛନ୍ତି। ଅଲ୍‌ ଇଣ୍ଡିଆ ରେଡିଓର ପୂର୍ବତନ ନିର୍ଦ୍ଦେଶକ ଦୀପକ ସାମନ୍ତରାୟ ସଂଯୋଜନା କରିଥିବାବେଳେ ଶିଳ୍ପ ଯୁବୋଦ୍ୟୋଗୀ ଗୌରୀଶଙ୍କର ମିଶ୍ର ପରିଚାଳନା କରିଥିଲେ। ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ନିମନ୍ତେ ଖୋଲା ରହିବ।