ପ୍ୟାରିସ୍‌ ଜଳବାୟୁ ଚୁକ୍ତି: ଆମେରିକା ବ୍ୟତୀତ ସବୁ ଜି୨୦ ରାଷ୍ଟ୍ରଙ୍କ ସମର୍ଥନ

ଓସାକା,୩୦ା୬(ପି.ଟି): ପ୍ୟାରିସ୍‌ ଜଳବାୟୁ ଚୁକ୍ତିନାମାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ କରିବାକୁ ଶନିବାର ଜି-୨୦ ରାଷ୍ଟ୍ରଗୋଷ୍ଠୀର ୧୯ ସଦସ୍ୟ ରାଷ୍ଟ୍ର ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। କେବଳ ଆମେରିକା ଏହାକୁ ସମର୍ଥନ କରିନାହିଁ। ଜାପାନର ଓସାକା ସହରରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବିଶ୍ୱନେତାମାନେ ଭାଗ ନେଇ ଜଳବାୟୁ ପରିବର୍ତ୍ତନ ରାଜିନାମା କାର୍ଯ୍ୟକାରୀ କରିବାକୁ ସହମତି ପ୍ରକାଶ କରିଥିଲେ। ଗତବର୍ଷ ମଧ୍ୟ ଆଜେଣ୍ଟିନାରେ ଅନୁରୂପ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ତେବେ ଏହା ଆମେରିକାର କର୍ମଚାରୀ ଓ ଟିକସଦାତାଙ୍କ ପାଇଁ ହାନିକାରକ ଦର୍ଶାଇ ପ୍ୟାରିସ୍‌ ଚୁକ୍ତିରୁ ଓହରିଯିବା ନିଷ୍ପତ୍ତିରେ ଓ୍ବାଶିଂଟନ ଅଟଳ ରହିଥିଲା।
ଜଳବାୟୁ ପରିବର୍ତ୍ତନରୁ ରକ୍ଷା ପାଇବାକୁ ହେଲେ ଜି୨୦ ରାଷ୍ଟ୍ରସମୂହ ସ୍ମାର୍ଟ ସିଟି, ପରିବେଶକୁ ସ୍ବଚ୍ଛ ରଖିବା ପ୍ରଯୁକ୍ତି ଉପରେ ଜୋର ଦେବାକୁ ହେବ। ଏଥିପାଇଁ ଅନେକ ସ୍ବଚ୍ଛତାଭିତ୍ତିକ ପଦକ୍ଷେପ ନେବାକୁ ହେବ ବୋଲି ଚୂଡାନ୍ତ ଦସ୍ତାବିଜ୍‌ରେ କୁହାଯାଇଛି। ବୁଏନୋସ୍‌ ଏୟାର୍ସ ଏବଂ ହମବର୍ଗରେ ପୂର୍ବରୁ ହୋଇଥିବା ଘୋଷଣାନାମା ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ବିରୋଧରେ କାର୍ଯ୍ୟକ୍ରମମାନ ଜାରି ରଖିବା ଲାଗି ୧୯ଟି ସଦସ୍ୟ ରାଷ୍ଟ୍ର ପ୍ରତିଶ୍ରୁତିବଦ୍ଧ ହୋଇଥିଲେ।