Kazakhstan: Four-time Asian Championships medallist Shiva Thapa poses for a photo after winning gold, in the 63kg category, at Presidents Cup, in Kazakhstan, Saturday, July 20, 2019. (PTI Photo) (PTI7_20_2019_000129B)
ନୂଆଦିଲ୍ଲୀ, ୨୧ା୭-ଚାରିଥର ଏସିଆନ ପଦକ ବିଜେତା ଶିବ ଥାପ୍ପା ପ୍ରଥମ ଭାରତୀୟ ବକ୍ସର ଭାବେ କାଜାଖସ୍ତାନର ଅଷ୍ଟାନାଠାରେ ଚାଲିଥିବା ପ୍ରେସିଡେଣ୍ଟ୍ସ କପ୍ ବକ୍ସିଂ ଟୁର୍ନାମେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ନୂତନଭାବେ ପ୍ରଚଳିତ ଅଲିମ୍ପିକ୍ସ କାଟେଗୋରି ୬୩ କେଜିିରେ ତାଙ୍କ ପ୍ରଥମ ପଦାର୍ପଣରେ ସେ ଏହି ସଫଳତା ହାସଲ କରିଛନ୍ତି। ଥାପ୍ପା ଫାଇନାଲ ମୁକାବିଲା ଜାକିର ସାଫିଲୁଦ୍ଦିନଙ୍କ ସହିତ କରିଥାନ୍ତେ। ମାତ୍ର ଆହତ ଯୋଗୁ ଏହି ବକ୍ସର ଜଣକ ଲଢେଇରୁ ଓହରିଯାଇଥିଲେ। ଫଳରେ ଓ୍ବାକଓଭର ଭିିତ୍ତିରେ ଥାପ୍ପା ବିଜୟୀ ହୋଇଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଏସିଆନ ଚାମ୍ପିୟନଶିପ୍ ସେମିଫାଇନାଲରେ ଥାପ୍ପା କିନ୍ତୁ ସାଫିଲୁଦ୍ଦିନଙ୍କଠାରୁ ହାରିଯାଇଥିଲେ। ଅନ୍ୟ ଭାରତୀୟ ପ୍ରତିଯୋଗୀଙ୍କ ମଧ୍ୟରେ ମହିଳା ବକ୍ସର ପରବିନ୍ (୬୦କେଜି) ତାଙ୍କ ଫାଇନାଲ ବାଉଟରେ ସ୍ଥାନୀୟ ଆଶାୟୀ ରିମା ଭୋଲୋସୋଙ୍କୋଙ୍କ ନିକଟରୁ ପରାଜିତ ହୋଇ ରୌପ୍ୟ ପାଇଛନ୍ତି। ଅଲିମ୍ପିକ ଡିଭିଜନରେ ପ୍ରବେଶ କରିବା ପୂର୍ବରୁ ଥାପ୍ପା ଜଣେ ୬୦ କେଜି କାଟେଗୋରି ବକ୍ସର ଥିଲେ। ସେ କହିଛନ୍ତି ନୂଆ ଓ୍ବେଟ୍ କାଟେଗୋରି ସହ ଖାପ ଖୁଆଇବା ତାଙ୍କ ପକ୍ଷେ କଷ୍ଟକର ହୋଇ ନ ଥିଲା। ସୂଚନାଯୋଗ୍ୟ, ଟ୍ରାଏଲ୍ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ମନୀଷ କୌଶିକ୍ଙ୍କଠାରୁ ହାରିଯିବା ଯୋଗୁ ଥାପ୍ପା ଗତ ସେପ୍ଟେମ୍ବରରେ ବିଶ୍ୱ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରିପାରି ନ ଥିଲେ। ଏଠାରେ ସେମିଫାଇନାଲ ପର୍ଯ୍ୟାୟରେ ସେ ଆର୍ଗନ କାଡିରିବେକୁଲୁଙ୍କୁ ୪-୧ରେ ପରାସ୍ତ କରିଥିଲେ। ପୂର୍ବରୁ ସ୍ବିଟି ବୋରା (୮୧କେଜି) ଏବଂ ଦୁର୍ଯ୍ୟୋଧନ ସିଂ ନେଗି (୬୯କେଜି) ସେମାନଙ୍କ କାଟେଗୋରିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି।