Categories: ଅନୁଗୋଳ

ପ୍ରେମିକାଙ୍କୁ ଗର୍ଭବତୀ କରି ପ୍ରେମିକ ଫେରାର: ପରିବାରକୁ ହତ୍ୟା ଧମକ ଦେଉଥିବା ଅଭିଯୋଗ

ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ପରେ ଡେରଜାଙ୍ଗ ଅଞ୍ଚଳର ପ୍ରେମିକ ସୁବାସ ବେହେରା ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏପରି କି କେତେଜଣ ଦୁର୍ବୃତ୍ତଙ୍କୁ ପଠାଇ ତାଙ୍କ ପରିବାରକୁ ହତ୍ୟା ଧମକ ଦେଉଥିବା ସମ୍ପୃକ୍ତା ପ୍ରେମିକା ଅଭିଯୋଗରେ ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ନଂ. ୧୨୮/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଯୁବତୀ ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଡେରଜାଙ୍ଗ ଅଞ୍ଚଳର ସୁବାସଙ୍କ ସହ ତାଙ୍କର ୩ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବିବାହ ପ୍ରତିଶ୍ରୁତି ଦେଇ ସୁବାସ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲେ। ମନା କରିବା ପରେ ମାନସିକ ନିର୍ଯାତନା ଦେଇଥିଲେ। ନିକଟରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ଏବେ ୫ ମାସର ଗର୍ଭବତୀ କଥା ଜାଣିବା ପରେ ସୁବାସ ବିବାହ କରିବେ ନାହିଁ ବୋଲି କହି ଫେରାର ହୋଇଯାଇଛନ୍ତି। ଦୁଇ ଦିନ ତଳେ ଗାଁରେ ସଭା ବସିଥିଲା। ଏଥିରେ ସୁବାସ ଓ ତାଙ୍କ ବାପାଙ୍କୁ ଡକାଯାଇଥିଲା। କିନ୍ତୁ କେହି ଆସି ନ ଥିଲେ। ପରେ ସୁବାସ ୩ ଜଣ ଦୁର୍ବୃତ୍ତଙ୍କୁ ଘରକୁ ପଠାଇ ଗର୍ଭପାତ କରାଇବାକୁ ୫୦ ହଜାର ଟଙ୍କା ଯାଚିଥିଲେ। ଏହାପରେ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଥିବା ଯୁବତୀ ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ବୋଲି ଥାନା ଅଧିକାରୀ ବିନ୍ଦୁ ବାସିନୀ ବିଶ୍ୱାଳ ସୂଚନା ଦେଇଛନ୍ତି।