Categories: ମେଟ୍ରୋ

ପ୍ରବାସୀଙ୍କ ସ୍ବାବ୍‌, ରକ୍ତ ପରୀକ୍ଷାରେ ବିଳମ୍ବ

ନିମାପଡ଼ା,୧୨ା୫(ଡି.ଏନ.ଏ): ନିମାପଡ଼ା ବ୍ଲକ ଓ ଏନ୍‌ଏସି ଅଞ୍ଚଳକୁ ହଟସ୍ପଟ ଅଞ୍ଚଳ ଦିଲ୍ଲୀ, କୋଲକାତା, ଗୁଜରାଟର ସୁରଟ, ମହାରାଷ୍ଟ୍ର ଆଦି ରାଜ୍ୟରୁ ମଙ୍ଗଳବାର ସୁଦ୍ଧା ୩୧୫ଜଣ ପ୍ରବାସୀ ଓଡ଼ିଆ ନିମାପଡ଼ା ଅଞ୍ଚଳକୁ ଫେରିଛନ୍ତି। ଏହି ପ୍ରବାସୀମାନେ ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ରହିଛନ୍ତି। ରହିବାର ୭/୮ଦିନ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ପ୍ରବାସୀଙ୍କ ସ୍ବାବ୍‌ ଓ ରକ୍ତ ନମୁନା ପରୀକ୍ଷା କରାଯାଇ ନାହିଁ। ମାତ୍ର ୨୫ପ୍ରତିଶତ ପ୍ରବାସୀଙ୍କ ସ୍ବାବ୍‌, ରକ୍ତ ନମୁନା ସଂଗ୍ରହ କରାଯାଇଥିବାବେଳେ ବାକି ୭୫ପ୍ରତିଶତଙ୍କ ନମୁନା ସଂଗ୍ରହ ହୋଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସ୍ବାସ୍ଥ୍ୟ ବିଭାଗର ଅବହେଳା ଓ ଉଦାସୀନତା ଯୋଗୁ ପ୍ରବାସୀଙ୍କ ପରୀକ୍ଷା କରାଯିବାରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ଗତ କିଛିଦିନ ତଳେ ଖୋଲାଯାଇଥିବା ସ୍ବାବ୍‌ ନମୁନା ସଂଗ୍ରହ କେନ୍ଦ୍ର ସପ୍ତାହକେ ୧/୨ଥର ଖୋଲୁଥିବାବେଳେ ଅଳ୍ପ ସଂଖ୍ୟାରେ ସ୍ବାବ୍‌ ସଂଗ୍ରହ କରାଯାଉଛି। ନିମାପଡ଼ାକୁ ଦୈନିକ ବହୁ ସଂଖ୍ୟାରେ ପ୍ରବାସୀ ଫେରୁଥିବାବେଳେ ସ୍ବାବ ନମୁନା ସଂଗ୍ରହ କେନ୍ଦ୍ର ପ୍ରତିଦିନ ଖୋଲାଯିବାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ବିଡିଓ ମନୋଜ କୁମାର ବେହେରା ଓ ନିମାପଡ଼ା ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡା.କ୍ଷମାନିଧି ସେଠୀଙ୍କୁ ପଚାରିବାରୁ ଅଧିକ ସ୍ବାବ ସଂଗ୍ରହ ଦିଗରେ ଆମେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛୁ ବୋଲି କହିଛନ୍ତି। ଏହାସହ ନିମାପଡ଼ାବାସୀ ମଧ୍ୟ ଏ ଦିଗରେ କଡ଼ା ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଦାବି କରିଛନ୍ତି।