New Zealand's Trent Boult appeals successfully for the wicket of India's Rohit Sharma during the Cricket World Cup warm up match between India and New Zealand at The Oval in London, Saturday, May 25, 2019. (AP Photo/Aijaz Rahi)
ଲଣ୍ଡନ, ୨୬।୫- ଆଇସିସି ବିଶ୍ୱକପର ଅନ୍ୟତମ ଟାଇଟଲ ଦାବିଦାର ଭାରତ କିନ୍ତୁ ଇଂଲଣ୍ଡ ଗସ୍ତର ପ୍ରଥମ ପରୀକ୍ଷାରେ ବିଫଳ ହୋଇଛି। ବିଶ୍ୱକପ ଆରମ୍ଭ ହେବା ପାଇଁ ଆଉ ମାତ୍ର ୩ ଦିନ ବାକିଥିବାବେଳେ ଶନିବାର ଅନୁଷ୍ଠିତ ଓ୍ବାର୍ମଅପ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଛି। ଫଳରେ ଅସଲ ପରୀକ୍ଷା ପୂର୍ବରୁ ଝୁଣ୍ଟିଛି ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆ। କେନିଂଟନ ଓଭାଲ ପିଚ୍ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳର ପ୍ରଦର୍ଶନ ଫିକା ରହିଥିବାବେଳେ ନିଜକୁ ସଜାଡ଼ି ନେବାପାଇଁ ପରୋକ୍ଷ ଚେତାବନୀ ପାଇଛି। ନ୍ୟୁଜିଲାଣ୍ଡ ବୋଲରଙ୍କୁ ସଫଳ ମୁକାବିଲା କରି ନ ପାରି ଭାରତ ମାତ୍ର ୧୭୯ ରନରେ ସୀମିତ ରହିଥିବାବେଳେ ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୩୭.୧ ଓଭରରେ ମାତ୍ର ୪ ଉଇକେଟ ହରାଇ ହାସଲ କରିନେଇଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ମାତ୍ର ଟପ୍ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ବିରାଟ କୋହଲିଙ୍କ ଦଳ ବ୍ୟାକ୍ଫୁଟକୁ ଚାଲି ଯାଇଥିଲା। ରୋହିତ ଶର୍ମା ୨, ଶିଖର ଧାଓ୍ବନ ୨, ଲୋକେଶ ରାହୁଲ ୬ ରନ କରି ଆଉଟ ହେବାରୁ ୫.୩ ଓଭରରେ ଭାରତ ସ୍କୋର ୨୪/୩ ହୋଇ ଯାଇଥିଲା। ଅଧିନାୟକ ବିରାଟ ଭଲ ଆରମ୍ଭ କରିଥିଲେ ହେଁ ୨୪ ବଲ୍ରୁ ୧୮ (୩ ଚୌକା) ରନ କରି କଲିନ୍ ଡି ଗ୍ରାଣ୍ଡହୋମ୍ଙ୍କ ବଲ୍ରେ କ୍ଲିନ୍ ବୋଲ୍ଡ ହୋଇ ଯାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା କିଛି ସମୟ ନ୍ୟୁଜିଲାଣ୍ଡ ବୋଲରଙ୍କୁ ମୁକାବିଲାରେ ସଫଳ ହୋଇଥିଲେ। ତେବେ ସେ ୩୭ ବଲ୍ରୁ ୬ ଚୌକା ସହ ୩୦ ରନ କରିଥିବାବେଳେ ଜେମ୍ସ ନିଶାମଙ୍କ ବଲ୍ରେ ଟମ୍ ବ୍ଲୁନ୍ଡେଲ୍ଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦୀନେଶ କାର୍ତ୍ତିକ ୪ ଓ ନିର୍ଭରଯୋଗ୍ୟ ମହେନ୍ଦ୍ର ସିଂ ଧୋନୀ ୧୭ ରନ କରି ଆଉଟ ହେବାରୁ ୯୧ ରନ ମଧ୍ୟରେ ଭାରତ ୭ ଉଇକେଟ ହରାଇ ଲଜ୍ଜାଜନକ ପରିସ୍ଥିତିରେ ପଡ଼ିଥିଲା। ମାତ୍ର ଶେଷଭାଗରେ ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ଇନିଂସ ଭାରତର ସମ୍ମାନ ରଖିଥିଲା। ସେ ୫୦ ବଲ୍ରୁ ୬ ଚୌକା ଓ ୨ ଛକା ସହାୟତାରେ ୫୪ ରନ କରିଥିଲେ। ଭାରତ ଇନିଂସ ୩୯.୨ ଓଭରରେ ଶେଷ ହୋଇ ଯାଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୪ଟି, ନିଶାମ ୩ଟି ଏବଂ ଟିମ୍ ସୌଦୀ, ଗ୍ରାଣ୍ଡହୋମ ଓ ଲୋକି ଫର୍ଗୁସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ନ୍ୟୁଜିଲାଣ୍ଡ ୩୭ ରନ ମଧ୍ୟରେ ୨ ଓପନର କଲିନ୍ ମୁନ୍ରୋ (୪) ଓ ମାର୍ଟିନ ଗୁପ୍ଟିଲ (୨୨)ଙ୍କ ଉଇକେଟ ହରାଇଥିଲେ ହେଁ ଅଧିନାୟକ କେନ୍ ଓ୍ବିଲିୟମସନ ଓ ରସ୍ ଟେଲରଙ୍କ ଅର୍ଦ୍ଧଶତକ ସହାୟତାରେ ବିଜୟ ପଥରେ ଅଗ୍ରସର ହୋଇଥିଲା। ଓ୍ବିଲିୟମସନ ୮୭ ବଲ୍ର ୬ ଚୌକା ଓ ୧ ଛକା ସହ ୬୭ ଓ ଟେଲର ୭୫ ବଲ୍ରୁ ୮ ଚୌକା ସହ ୭୧ ରନ କରି ନ୍ୟୁଜିଲାଣ୍ଡ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହେନରି ନିକୋଲାସ ୧୫ ରନରେ ଅପରାଜିତ ରହି ଔପଚାରିକତା ପୂରଣ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ୍ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଓ ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୩୯.୨ ଓଭରରେ ୧୭୯/ଅଲଆଉଟ(ଜାଡେଜା-୫୪, ହାର୍ଦ୍ଦିକ-୩୦, ବୋଲ୍ଟ-୪/୩୩, ନିଶାମ-୩/୨୬, ସୌଦୀ-୧/୨୬, ଗ୍ରାଣ୍ଡହୋମ-୧/୧୨, ଫର୍ଗୁସନ-୧/୩୩)। ନ୍ୟୁଜିଲାଣ୍ଡ ୩୭.୧ ଓଭରରେ ୧୮୦/୪(ଟେଲର-୭୧, ଓ୍ବିଲିୟମସନ-୬୭, ବୁମ୍ରା-୧/୨, ହାର୍ଦ୍ଦିକ-୧/୨୬, ଚହଲ-୧/୩୭, ଜାଡେଜା-୧/୨୭)।