Sri Lanka's cricket team captain Dimuth Karunaratne (R) celebrates after scoring a century (100 runs) during the final day of the first Test cricket match between Sri Lanka and New Zealand at the Galle International Cricket Stadium in Galle on August 18, 2019. (Photo by Ishara S. KODIKARA / AFP) (Photo credit should read ISHARA S. KODIKARA/AFP/Getty Images)
ଗାଲେ,୧୮।୮- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଘରୋଇ ଶ୍ରୀଲଙ୍କା ୬ ଉଇକେଟରେ ବିଜୟ ହାସଲ କରିଛି। ସ୍ଥାନୀୟ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଶ୍ରୀଲଙ୍କା ରବିବାର ଉଭୟ ବୋଲିଂ ଓ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରି ବାଜି ମାରିଛି। ଏଥିସହିତ ୨ ମ୍ୟାଚ୍ ବିଶିଷ୍ଟ ଏହି ସିରଜରେ ଶ୍ରୀଲଙ୍କା ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସରେ ୧୨୨ ରନର ଶତକୀୟ ପାଳି ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଶ୍ରୀଲଙ୍କା ଓପନର ଦିମୁଥ କରୁଣାରତ୍ନେ ମ୍ୟାନ୍ ଅଫ୍ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ସିରିଜ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ସିରିଜର ଅନ୍ତର୍ଭୁକ୍ତ ରହିଛି। ଫଳରେ ବିଜୟ ସହ ଶ୍ରୀଲଙ୍କା ୬୦ ପଏଣ୍ଟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ହାତ ଖାଲି ରହିଛି।
ଟସ୍ଜିତି ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୮୩.୨ ଓଭରରେ ୨୪୯ ରନ କରି ଅଲ୍ଆଉଟ ହୋଇଥିଲା। ଜବାବରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୯୩.୨ ଓଭରରେ ୨୬୭ ରନ କରି ଅଲଆଉଟ୍ ହୋଇ ୧୮ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭ କରି ୧୦୬ ଓଭରରେ ୨୮୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ଶ୍ରୀଲଙ୍କା ସମ୍ମୁଖରେ ୨୬୮ ରନର ବିଜୟ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଶ୍ରୀଲଙ୍କା ପଞ୍ଚମ ତଥା ଅନ୍ତିମ ଦିବସ ପ୍ରଥମ ସେସେନରେ ୮୬.୧ ଓଭରରେ ୪ ଉଇକେଟ ହରାଇ ୨୬୮ ରନ କରି ବିଜୟ ହାସଲ କରି ନେଇଥିଲା।
ଶନିବାରର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୩୩/୦ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ରବିବାର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ତେବେ ଏଥିପାଇଁ ଶ୍ରୀଲଙ୍କା ୪ ଉଇକେଟ ହରାଇବାକୁ ପଡିଥିଲା। ଓଭରନାଇଟ୍ ବ୍ୟାଟ୍ସମ୍ୟାନ ତଥା ତାରକା ଓପନର ଦିମୁଥ କରୁଣାରତ୍ନେ ୭୧ରୁ ଖେଳ ଆରମ୍ଭ କରି ୧୨୨ ରନ କରି ଆଉଟ ହେବା ପୂର୍ବରୁ ବିଜୟପଥ ପରିଷ୍କାର କରିଥିଲେ। ସେହିପରି ଅନ୍ୟତମ ଓପନର ଲାହିରୁ ଥିରିମାନେ ୫୭ ରନରୁ ଖେଳ ଆରମ୍ଭ କରି ଆଉ ଅଧିକ ୭ ରନ କରି ୬୪ ରନରେ ପ୍ୟାଭିଲିୟନ ଫେରିଥିଲେ। ଓପନିଂ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୬୧ ରନର ଶତକୀୟ ଭାଗୀଦାରି ସ୍ଥାପନ କରି ବିଜୟର ମୂଳଦୂଆ ପକାଇଥିଲେ। ଥିରିମାନେ ପ୍ରଥମେ ଆଉଟ ହେବା ପରେ କୁଶଲ ମେଣ୍ଡିସ୍ ୧୦ ରନ କରି ଆଉଟ ହୋଇଥିଲେ। ଏହାପରେ କରୁଣାରତ୍ନେ ପ୍ୟାଭିଲିୟନ ଫେରିଥିଲେ। କୁଶଲ ପେରେରା ୨୩ ରନ କରିଥିବା ବେଳେ ଶେଷ ଉଇକେଟ ଭାବେ ଆଉଟ ହୋଇଥିଲେ। ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ୨୮ ଓ ଧନଞ୍ଜୟ ଡିସିଲଭା ୧୪ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଟ୍ରେଣ୍ଟ ବୋଲ୍ଟ, ଟିମ୍ ସୌଦି, ଓ୍ବିଲିୟମ ସମରଭିଲେ ଓ ଅଜାଜ ପଟେଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୨୪୯ ଅଲଆଉଟ।
ଶ୍ରୀଲଙ୍କା ପ୍ରଥମ ଇନିଂସ- ୨୬୭ ଅଲଆଉଟ।
ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ- ୧୦୬ ଓଭରରେ ୨୮୫ ଅଲଆଉଟ
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ- ୮୬.୧ ଓଭରରେ ୨୬୮/୪
(କରୁଣାରତ୍ନେ- ୧୨୨, ଥିରିମାନେ- ୬୪, ମାଥ୍ୟୁସ- ୨୮*, ପେରେରା- ୨୩, ଡିସିଲଭା- ୧୪*, ବୋଲ୍ଟ- ୧/୩୪, ସୌଦି- ୧/୩୩, ସମରଭିଲେ- ୧/୭୩, ପଟେଲ- ୧/୭୪)।