New Zealand's BJ Watling celebrates after reaching his double century during the fourth day of the first cricket Test between England and New Zealand at Bay Oval in Mount Maunganui on November 24, 2019. (Photo by DAVID GRAY / AFP) (Photo by DAVID GRAY/AFP via Getty Images)
ମାଉଣ୍ଟ ମାଉନଗାନୁଇ, ୨୫।୧୧(ଏଏଫ୍ପି)- ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଘରୋଇ ନ୍ୟୁଜିଲାଣ୍ଡ ଦମ୍ଦାର ପ୍ରଦର୍ଶନ କରି ତା’ର ସ୍ଥିତ ଦୃଢ଼ କରିଛି। ଅନ୍ୟପଟେ ମ୍ୟାଚ୍ ବଞ୍ଚାଇବା ପାଇଁ ଇଂଲଣ୍ଡ ସଂଘର୍ଷ ଜାରି ରଖିଛି। ଉଇକେଟ କିପର ବିଜେ ଓ୍ବାଟଲିଂ ୨୦୫ ରନର ଦ୍ୱିଶତକ ଓ ମିଚେଲ ସାଣ୍ଟନର ୧୨୬ ରନର ଶତକ ହାସଲ କରି ନ୍ୟୁଜିଲାଣ୍ଡ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଛନ୍ତି।
ଟସ୍ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୧୨୪ ଓଭରରେ ୩୫୩ ରନ କରି ଅଲଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ ଆରମ୍ଭ କରି ଓ୍ବାଟିଲିଂ ଓ ସାଣ୍ଟନରଙ୍କ ଦମ୍ଦାର ବ୍ୟାଟିଂ ବଳରେ ୨୦୧ ଓଭରରେ ୯ ଉଇକେଟ ହରାଇ ୬୧୫ ରନ କରି ଇନିଂସ ଘୋଷଣା କରିଥିଲା। ଫଳରେ ନ୍ୟୁଜିଲାଣ୍ଡ ୨୬୨ ରନର ବୃହତ୍ ଅଗ୍ରଣୀ ହାସଲ କରିଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଇଂଲଣ୍ଡ ରବିବାର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୨୭.୪ ଓଭରରେ ୩ ଉଇକେଟ ହରାଇ ୫୫ ରନ ସଂଗ୍ରହ କରିଛି। ମ୍ୟାଚ୍ ଆଉ ଗୋଟିଏ ଦିନ ବାକିଥିବା ବେଳେ ଇଂଲଣ୍ଡ ୭ ଉଇକେଟ ହାତରେ ରଖି ୨୦୭ ରନ ପଛରେ ପଡି ବ୍ୟାକ୍ ଫୁଟ୍କୁ ଚାଲିଯାଇଛି। ଷ୍ଟମ୍ପ ଅପସାରଣ ବେଳକୁ ଜୋ ଡେନ୍ଲି ୭ ରନ କରି ଅପରାଜିତ ରହିଛନ୍ତି। ଇଂଲଣ୍ଡ ତରଫରୁ ରୋରି ବନର୍ସ ୩୧, ଡୋମ ସିବ୍ଲି ୧୨ରନ କରି ଆଉଟ ହୋଇଥିବାବେଳେ ଜ୍ୟାକ୍ ଲିଚ୍ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ୩ଟି ଯାକ ଉଇକେଟ ହାସଲ କରିଛନ୍ତି ବାମହାତୀ ସ୍ପିନର ମିଚେଲ ସାଣ୍ଟନର।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୩୯୪/୬ରୁ ଖେଳ ଆରମ୍ଭ କରିଥିଲା ନ୍ୟୁଜିଲାଣ୍ଡ। ଓଭରନାଇଟ୍ ବ୍ୟାଟ୍ସମ୍ୟାନ ଓ୍ବାଟଲିଂ ୧୧୯ ରନରୁ ଖେଳ ଆରମ୍ଭ କରି ଦ୍ୱିଶତକ ଅର୍ଜନ କରିଥିଲେ। ସେହିପରି ୩୧ ରନରୁ ଖେଳ ଆରମ୍ଭ କରି ସାଣ୍ଟନର ଶତକ ହାସଲ କରିଥିଲେ। ୪୭୩ ଟି ବଲର ସମ୍ମୁଖୀନ ହୋଇ ଓ୍ବାଟଲିଂ ୨୪ଟି ଚୌକା ଓ ଗୋଟିଏ ଛକା ସହ ୨୦୫ ରନର ଦ୍ୱିଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ସେହିପରି ସାଣ୍ଟନର ୨୬୯ଟି ବଲର ସମ୍ମୁଖୀନ ହୋଇ ୧୧ ଚୌକା ୫ ଛକା ସହ ୧୨୬ ରନ କରି ଆଉଟ ହୋଇଥିଲେ। ଟିମ୍ ସୌଦି ୯ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ସାମ କୁରାନ, ଜ୍ୟାକ ଲିଚ୍ ଓ ବେନ୍ ଷ୍ଟୋକ୍ସ ୨ଟି ଲେଖାଏ, ଜୋଫ୍ରା ଆର୍ଚର ଓ ଜୋ ରୁଟ୍ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଂଲଣ୍ଡ ପ୍ରଥମ ଇନିଂସ-୧୨୪ ଓଭରରେ ୩୫୩ ଅଲଆଉଟ।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୨୦୧ ଓଭରରେ ୬୧୫/୯ ଇନିଂସ ଘୋଷଣା
(ଓ୍ବାଟଲିଂ- ୨୦୫, ସାଣ୍ଟନର- ୧୨୬, ଗ୍ରାଣ୍ଡହୋମ- ୬୫, ଓ୍ବିଲିୟମସନ- ୫୧, କୁରାନ- ୩/୧୧୯, ଲିଚ୍- ୨/୧ ୫୩, ଷ୍ଟୋକ୍ସ- ୨/୭୪)।
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୨୭. ୪ ଓଭରରେ ୫୫/୩
(ବନର୍ସ- ୩୧, ସିବ୍ଲି- ୧୨, ସାଣ୍ଟନର- ୩/୬)।